ନୂଆଦିଲ୍ଲୀ,୮।୯: LPG ଗ୍ୟାସ ସିଲିଣ୍ଡରର ନୂଆ କନେକସନ ଉପରେ ଏବେ ମଧ୍ୟ ରୋକ ଲାଗି ରହିଛି। ଅନ୍ୟପଟେ ନିକଟରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ନକଲି କନେକସନକୁ ହଟାଇବା ପାଇଁ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଉଛି। କାରଣ କିଛି ଲୋକ ଭୁଲ ଉପାୟରେ ଅନ୍ୟ ନାମରେ କନେକସନ ନେଇ ବ୍ୟବସାୟ କରୁଛନ୍ତି। ଏଭଳି କନେକସନକୁ KYC ପ୍ରକ୍ରିୟା ମାଧ୍ୟମରେ ରଦ୍ଦ କରାଯାଉଛି। ଏହାପରେ ହିଁ ନୂଆ କନେକସନ ସମ୍ପର୍କରେ ସରକାର ଏବଂ କମ୍ପାନୀଗୁଡ଼ିକ ନୂତନ ରଣନୀତି ପ୍ରସ୍ତୁତ କରିପାରିବେ। ସରକାର ନିକଟରେ LPG ର e-KYC କରିବାର ସମୟସୀମା ଅଗଷ୍ଟ ୩୧ରୁ ବୃଦ୍ଧି କରି ସେପ୍ଟେମ୍ୱର ୭ କରିଥିଲେ।
ସେପ୍ଟେମ୍ୱର ୭ ତାରିଖରେ e-KYC ର ସମୟସୀମା ଶେଷ ହୋଇସାରିଛି। ଅର୍ଥାତ ଯଦି ଆପଣ ଏପର୍ଯ୍ୟନ୍ତ ଗ୍ୟାସ କନେକସନର e-KYC କରାଇ ନାହାନ୍ତି, ତେବେ ଏବେ ଆପଣଙ୍କୁ ସିଲିଣ୍ଡର ମିଳିବାରେ ସମସ୍ୟା ହୋଇପାରେ। ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଆପଣଙ୍କୁ ଆଉ ସିଲିଣ୍ଡର ମିଳିବ ନାହିଁ କି?
ଯେଉଁ LPG ଗ୍ୟାସ ଉପଭୋକ୍ତାମାନେ ଏପର୍ଯ୍ୟନ୍ତ e-KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରିନାହାନ୍ତି, ସେମାନଙ୍କୁ ଏବେ ସିଲିଣ୍ଡର ବୁକିଂ କରିବାରେ ଅସୁବିଧା ହୋଇପାରେ। ଏହା ବ୍ୟତୀତ ସବସିଡିର ଲାଭ ପାଇବାରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତଥାପି ଯଦି ଆପଣ ଏବେ ମଧ୍ୟ e-KYC ପ୍ରକ୍ରିୟା ପୂରା କରିନିଅନ୍ତି, ତେବେ ସିଲିଣ୍ଡର ବୁକିଂ ଏବଂ ସବସିଡି ସମ୍ପର୍କିତ ସମସ୍ୟା ରହିବ ନାହିଁ। ଅର୍ଥାତ୍ LPG ଉପଭୋକ୍ତାମାନଙ୍କୁ ଯେକୌଣସି ପରିସ୍ଥିତିରେ ଗ୍ୟାସ ପାଇବା ପାଇଁ ନିଜ କନେକସନର e-KYC କରାଇବାକୁ ପଡ଼ିବ। ତେବେ ଯାଇ ଗ୍ୟାସ ବୁକ ହୋଇପାରିବ ଏବଂ ଆପଣଙ୍କୁ ଗ୍ୟାସ ଡେଲିଭରି ମିଳିବ।
ଗ୍ୟାସ ଉପଭୋକ୍ତା ଚାହିଁଲେ ନିଜ ଗ୍ୟାସ କନେକସନ ପାଇଁ ଏଜେନ୍ସିକୁ ଯାଇ e-KYC କରାଇପାରିବେ, ଅଥବା ଅନଲାଇନ ମାଧ୍ୟମରେ ମଧ୍ୟ e-KYC କରିପାରିବେ। ନିଜ ଗ୍ୟାସ କମ୍ପାନୀର ଅଫିସିଆଲ ୱେବସାଇଟ କିମ୍ୱା ଆପ ଜରିଆରେ e-KYC ପ୍ରକ୍ରିୟା ପୂରା କରିହେବ। ଏଥିପାଇଁ ଯାହାଙ୍କ ନାମରେ କନେକସନ ଅଛି, ତାଙ୍କର ଆଧାର କାର୍ଡ ଆବଶ୍ୟକ ହେବ।