ସକାଳୁ ସକାଳୁ ବଡ଼ ଝଟ୍‌କା, ମହଙ୍ଗା ହେଲା ଘରୋଇ ସିଲିଣ୍ଡର ଦାମ୍‌; ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୭।୬: ଦେଶରେ ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଛନ୍ତି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। କ୍ଷୀର, ପେଟ୍ରୋଲ-ଡିଜେଲ ଏବଂ ସିଏନଜି ପରେ ଏବେ ଦେଶରେ ଘରୋଇ ଏଲପିଜି (LPG) ସିଲିଣ୍ଡରର ଦାମ ମଧ୍ୟ ବୃଦ୍ଧି ପାଇଛି। ‘ପିଟିଆଇ’ (PTI) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ୟାସ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ୨୯ ଟଙ୍କା ବୃଦ୍ଧି କରିଛନ୍ତି। ଏହାପରେ ଏବେ ଘରୋଇ ସିଲିଣ୍ଡରର ମୂଲ୍ୟ ୯୪୨ ଟଙ୍କା ହୋଇଯାଇଛି।

ଦିଲ୍ଲୀ-ଏନସିଆର (Delhi-NCR)ରେ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ଏବେ ୯୪୨ ଟଙ୍କା ହୋଇଯାଇଛି। ସେହିପରି ୫ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡରର ଦର ୩୩୯ ଟଙ୍କା ରହିଛି। ଏହା ବ୍ୟତୀତ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ (ବ୍ୟାବସାୟିକ) ସିଲିଣ୍ଡରର ମୂଲ୍ୟ ୩,୧୧୩ ଟଙ୍କା ୫୦ ପଇସାରେ ଅପରିବର୍ତ୍ତିତ ରହିଛି।

ପେଟ୍ରୋଲ-ଡିଜେଲ ଦର ବଢ଼ିବା ସହିତ ଘରୋଇ ଏଲପିଜି ସିଲିଣ୍ଡରର ଦାମ ବୃଦ୍ଧି ନେଇ ମଧ୍ୟ ଅନୁମାନ କରାଯାଉଥିଲା। ୨୮ ଫେବୃଆରୀରୁ ଆରମ୍ଭ ହୋଇଥିବା ଇରାନ ଯୁଦ୍ଧ ଯୋଗୁଁ ଯୋଗାଣରେ ସମସ୍ୟା ଦେଖାଦେଇଥିଲେ ସୁଦ୍ଧା ଘରୋଇ ଏଲପିଜି ସିଲିଣ୍ଡରର ଦାମ ବଢ଼ାଯାଇ ନ ଥିଲା। ସରକାର ମେ’ ୧ ତାରିଖରେ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଥିଲେ। କମର୍ସିଆଲ ସିଲିଣ୍ଡର ମୂଲ୍ୟରେ ୯୯୩ ଟଙ୍କା ଏବଂ ୫ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ମୂଲ୍ୟରେ ୨୬୧ ଟଙ୍କା ବୃଦ୍ଧି କରାଯାଇଥିଲା। ଏହାପରେ ଜୁନ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଆଉ ୪୨ ଟଙ୍କା ମହଙ୍ଗା ହୋଇଥିଲା।

Share