LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local Address Proof) ନାହିଁ, ତେବେ ଆପଣଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ରହିଛି। ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ (IOCL) ର ୫ କିଲୋଗ୍ରାମ ବିଶିଷ୍ଟ ‘ଛୋଟୁ’ (Chhotu) ଏଲପିଜି ସିଲିଣ୍ଡର ଉପରେ ଗ୍ରାହକମାନଙ୍କୁ ସୱତନ୍ତ୍ର ବାୟବ୍ୟାକ (Buyback) ସୁବିଧା ମିଳୁଛି। ଏହି ଯୋଜନା ଅଧୀନରେ ଗ୍ରାହକ ଯେତେବେଳେ ବି ନିଜ ସିଲିଣ୍ଡର ଫେରାଇବେ, ସେମାନଙ୍କୁ ସିଲିଣ୍ଡର ପିଛା ୫୦୦ ଟଙ୍କାର ଏକ ର୍ନିଦ୍ଦିଷ୍ଟ ରାଶି ଫେରସ୍ତ କରାଯିବ।

ଇଣ୍ଡିଆନ ଅଏଲର ‘ଛୋଟୁ’ ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ବିଶେଷ କରି ସେହି ଲୋକମାନଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି, ଯେଉଁମାନଙ୍କର ଗ୍ୟାସ ବ୍ୟବହାର କମ କିମ୍ୱା ଯେଉଁମାନେ ଅନ୍ୟ ସହରରେ ଭଡ଼ାରେ ରହୁଛନ୍ତି। ଏହି ସଂଯୋଗର ସବୁଠାରୁ ବଡ଼ ବିଶେଷତା ହେଉଛି ଏହାକୁ ନେବା ପାଇଁ କୌଣସି ସ୍ଥାନୀୟ ଠିକଣା ପ୍ରମାଣପତ୍ରର (Local Address Proof) ଆବଶ୍ୟକତା ପଡ଼େ ନାହିଁ। ଗ୍ରାହକ କେବଳ ନିଜର ବୈଧ ପରିଚୟ ପତ୍ର ଦେଖାଇ ତୁରନ୍ତ ନୂଆ କନେକ୍ସନ ନେଇପାରିବେ। ଏଥିପାଇଁ କୌଣସି ସିକ୍ୟୁରିଟି ଡିପୋଜିଟ ମଧ୍ୟ ଜମା କରିବାକୁ ପଡ଼େ ନାହିଁ।

ଯଦି ଜଣେ ଗ୍ରାହକ ବିକ୍ରୟ କେନ୍ଦ୍ରରୁ ଏହି ସିଲିଣ୍ଡର କିଣିଛନ୍ତି, ତେବେ କାମ ସରିବା ପରେ କିମ୍ୱା ସହର ଛାଡ଼ିବା ସମୟରେ ସେ ଏହାକୁ ସହଜରେ ଫେରାଇ ପାରିବେ। ଆପଣ ଏହାକୁ ଯେତେ ଦିନ ବି ବ୍ୟବହାର କରିଥାନ୍ତୁ ନା କାହିଁକି, ସିଲିଣ୍ଡର ସରେଣ୍ଡର କରିବା ମାତ୍ରେ ୫୦୦ ଟଙ୍କାର ର୍ନିଦ୍ଦିଷ୍ଟ ବାୟବ୍ୟାକ ରାଶି ସିଧାସଳଖ ଫେରସ୍ତ ମିଳିଯିବ।

ଗ୍ରାହକ ‘ଇଣ୍ଡେନ’ (Indane) ଡିଷ୍ଟ୍ରିବ୍ୟୁଟରସିପ ନେଟୱାର୍କ ବ୍ୟତୀତ ଇଣ୍ଡିଆନ ଅଏଲ ରିଟେଲ ଆଉଟଲେଟ, ବଛା ବଛା ତେଜରାତି ଦୋକାନ ଏବଂ ସ୍ଥାନୀୟ ସୁପରମାର୍କେଟରୁ ‘ଛୋଟୁ’ ସିଲିଣ୍ଡର କିଣିପାରିବେ କିମ୍ୱା ରିଫିଲ କରାଇପାରିବେ। ଏହା ବ୍ୟତୀତ, ଗ୍ରାହକ ଚାହିଁଲେ ପଏଣ୍ଟ ଅଫ ସେଲ୍ସ (Point of Sales) ମାଧ୍ୟମରେ ଘରେ ବସି ମଧ୍ୟ ରିଫିଲ ଡେଲିଭରୀ ପାଇପାରିବେ, ଯେଉଁଥିପାଇଁ ପ୍ରତି ରିଫିଲ ପିଛା ୨୫ ଟଙ୍କାର ଅତିରିକ୍ତ ଡେଲିଭରୀ ଚାର୍ଜ ଦେବାକୁ ପଡ଼ିବ।

Share