ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ବାଧ୍ୟ କରିଛି। ଏହି ସମୟରେ ଦେଶ ଉପରେ ଆଉ ଏକ ବଡ଼ ସଙ୍କଟ ଦେଖାଦେଇଛି। ତାହା ହେଉଛି ରୋଷେଇ ଗ୍ୟାସ ବା ଏଲପିଜିର ଅଭାବ। ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ ହୋଇଥିବା ବେଳେ ଏହାର ଏକ ପ୍ରମୁଖ କାରଣ ଭାବେ ଇରାନକୁ ଦାୟୀ କରାଯାଉଛି। ପାକିସ୍ତାନରେ ଗୋଟିଏ ଗ୍ୟାସ ସିଲିଣ୍ଡର ୭ ହଜାର ଟଙ୍କାରେ ବିକ୍ରି ହେଉଛି। ପ୍ରକୃତରେ, ଅକ୍ଟୋବର ୧୭ ତାରିଖରୁ ଇରାନ ପାକିସ୍ତାନକୁ ଗ୍ୟାସ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି। ଏହା ସହିତ ସୀମା ବନ୍ଦ ହୋଇଯିବାରୁ ପାକିସ୍ତାନର ସ୍ଥିତି ଆହୁରି ଖରାପ ହୋଇପଡ଼ିଛି।

ଇରାନରୁ ଗ୍ୟାସ ଯୋଗାଣ ବନ୍ଦ ହେବା କାରଣରୁ ପାକିସ୍ତାନରେ ୧୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡରର ଦର ରେକର୍ଡ ସ୍ତରରେ ପହଞ୍ଚିଛି। କିଛି ଦିନ ପୂର୍ବରୁ ଯେଉଁ ସିଲିଣ୍ଡର ୪,୫୦୦ ଟଙ୍କାରେ ମିଳୁଥିଲା, ଏବେ ତାହା ୭,୦୦୦ରୁ ୮,୨୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ପାକିସ୍ତାନର ତୈଳ ଓ ଗ୍ୟାସ ନିୟାମକ ପ୍ରାଧିକରଣ (OGRA) ୧୧.୮ କିଲୋଗ୍ରାମ ସିଲିଣ୍ଡରର ସରକାରୀ ଦର ୩,୨୯୬ ଟଙ୍କା ଧାର୍ଯ୍ୟ କରିଛି। ତଥାପି ବଜାରରେ ସିଲିଣ୍ଡର ଏହାର ଦୁଇଗୁଣରୁ ମଧ୍ୟ ଅଧିକ ଦରରେ ବିକ୍ରି ହେଉଛି। ପ୍ରକୃତରେ, ପାକିସ୍ତାନ ନିଜର ମୋଟ ଏଲପିଜି ଆବଶ୍ୟକତାର ପ୍ରାୟ ୭୦ ପ୍ରତିଶତ ବିଦେଶରୁ ଆମଦାନୀ କରିଥାଏ। ଏହାର ଏକ ବଡ଼ ଅଂଶ ଅର୍ଥାତ୍‌ ପ୍ରାୟ ୫୦ ପ୍ରତିଶତ ଇରାନରୁ ଆସିଥାଏ। ଅକ୍ଟୋବର ୧୭ ତାରିଖରୁ ଇରାନ ଓ ପାକିସ୍ତାନ ମଧ୍ୟରେ ଥିବା ଦୁଇଟି ପ୍ରମୁଖ ସୀମା ଚେକ୍ପୋଷ୍ଟ ବନ୍ଦ ରହିଛି।

ପାକିସ୍ତାନର କହିବା ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥା ମଜଭୁତ କରିବା ଏବଂ ଚୋରା ଚାଲାଣ ରୋକିବା ପାଇଁ ଇରାନ ଏହି ପଦକ୍ଷେପ ନେଇଛି। ଅନ୍ୟପକ୍ଷରେ, ଇରାନ କହିଛି ଯେ ବୈଷୟିକ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି।

ପାକିସ୍ତାନ ଇରାକ ଓ ଓମାନରୁ ମଧ୍ୟ ଇନ୍ଧନ ଆମଦାନୀ କରିଥାଏ। କିନ୍ତୁ ଷ୍ଟ୍ରେଟ ଅଫ ହର୍ମୁଜରେ ଜାରି ରହିଥିବା ସଙ୍କଟ କାରଣରୁ ସେଠାରୁ ମଧ୍ୟ ଆବଶ୍ୟକ ଇନ୍ଧନ ମିଳିପାରୁନାହିଁ। ଇରାନ-ପାକିସ୍ତାନ ସୀମା ବନ୍ଦ ହେବା ଯୋଗୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ମଧ୍ୟ ଠପ ହୋଇପଡ଼ିଛି। ସୀମାର ଉଭୟ ପାର୍ଶ୍ୱରେ ଏଲ୍ପିଜି ଟ୍ୟାଙ୍କର ଓ ଅନେକ ଟ୍ରକ ଫସି ରହିଛି। ଏହା ଫଳରେ ପାକିସ୍ତାନରେ ଗ୍ୟାସ ସଙ୍କଟ ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି।

Dharitri – Odisha’s No.1 Odia Daily

Share