ଛତ୍ରପୁର,୨୪।୯(ଦ୍ୱାରକା ପଟ୍ଟନାୟକ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଖରିଫ ଋତୁ ଫସଲ ପରେ ନୂଆ ଫସଲ ଚାଷ କରିବା ପାଇଁ ଚାଷୀମାନେ ଅଣ୍ଟା ଭିଡ଼ିଥିଲେ। ସରକାରଙ୍କ ପକ୍ଷରୁ ଅନେକ ପ୍ରୋତ୍ସାହନ ଓ ପରାମର୍ଶ ମଧ୍ୟ ପାଉଥିଲେ। ହେଲେ ଦାଉ ସାଧିଛି ଲଘୁଚାପ ଲଗାଣ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାଳ କ୍ରମେ ଘନୀଭୂତ ହୋଇ ଅବପାତ ଓ ତା’ ପରେ ଗଭୀର ଅବପାତର ରୂପ ନେଇଛି। ଏହା ପ୍ରଭାବରେ ୨୨ ତାରିଖ ମଧ୍ୟରାତିରୁ ଛତ୍ରପୁର ବ୍ଲକରେ ବର୍ଷାର ତିବ୍ରତା ବୃଦ୍ଧି ପାଇବାରେ ଲାଗିଲା।
ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସୂଚନାକୁ ଆଧାର କରି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜିଲାକୁ ରେଡ ୱାର୍ନିଂ ସତର୍କ ସଂକେତ ଜାରି ପରେ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଏହି ପରିସ୍ଥିତିରେ ରାସ୍ତାଘାଟ ସହିତ ଚାଷ ଜମିରେ ପାଣି ଭରିଯାଇଛି।
ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର, ମୁନିଷିପେଣ୍ଠ, ବ ମାଧପୁର, ଚିକଲଖଣ୍ଡି, ବିପୁଳିଙ୍ଗି, ଚମାଖଣ୍ଡି, ଟାଙ୍ଗଣାପଲ୍ଲୀ, ସୁନ୍ଦରପୁର ସମେତ ଅନେକ ପଞ୍ଚାୟତରେ ଥିବା ଚାଷଜମି ଜଳମଗ୍ନ ହୋଇଛି ପଡିଛି। ଫଳରେ ଚାଷୀ ଧାନ ପଚିଯିବା ଆଙ୍କାରେ ମୁଣ୍ଡରେ ହାତ ଧରି ବସିଛି। ପାଗ ଅନୁକୂଳ ହୋଇ ପାଣି କମିଲେ ଚାଷ ସଜାଡ଼ିବାକୁ ସମୟ ଲାଗି ବୋଲି ଚାଷୀ ଚିନ୍ତାରେ ପଡିଛି।