୨୦ରେ ଲଘୁଚାପ, ଆଜିଠୁ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୯।୯(ବ୍ୟୁରୋ):ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଆସନ୍ତା ୨୦ ତାରିଖରେ ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ରବିବାର ଢେଙ୍କାନାଳରେ ୨୨ମିମି ବର୍ଷା ହୋଇଥିବାବେଳେ ସମ୍ବଲପୁର ୧୬.୨, ଭୁବନେଶ୍ୱର ୧୪, କୋରାପୁଟ ୧୨, ମାଲକାନଗିରି ୧୨.୪, କଟକ ୬.୮, ତାଳଚେର ୫, ଖୋର୍ଦ୍ଧା ୬, ଦାରିଙ୍ଗବାଡି ୪ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ସୋମବାରରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ୨୨ ତାରିଖ ପର୍ଯ୍ୟନ୍ତ ଏହିଭଳି ବର୍ଷା ଲାଗି ରହିବ। ଏଥିପାଇଁ ସମ୍ପୃକ୍ତ ଜିଲାକୁ ସତର୍କ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ଏସବୁ ଜିଲାକୁ ଅରେଞ୍ଜ ୱାର୍ନିଂ ଦିଆଯାଇଛି। ସେହିଭଳି ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବ। ତେଣୁ ଏ ସବୁ ଜିଲାକୁ ୟେଲୋ ୱାର୍ନିଂ ଜାରି ହୋଇଛି। ୨୦ ତାରିଖରେ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନୟାଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏସବୁ ଜିଲାକୁ ଅରେଞ୍ଜ ୱାର୍ନିଂ ଓ ଗଞ୍ଜାମ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ାରେ ପ୍ରବଳ ବର୍ଷା ହେବ। ୨୧ରୁ ୨୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ାରେ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ଏସବୁ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି ହୋଇଛି। ସେହିଦିନ ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବା ସହିତ ଏସବୁ ଜିଲାକୁ ୟେଲୋ ୱାର୍ନିଂ ଦିଆଯାଇଛି। ୨୩ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସ୍ବଳ୍ପ ପରିମାଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।