ପାଣିପାଗ ବିଭାଗର ଆଲର୍ଟ, ୧୦ରେ ବଙ୍ଗୋପସାଗରରେ ବଡ଼ ଲଘୁଚାପ!

ଭୁବନେଶ୍ୱର,୭ା୫(ବନ୍ଦନା ସେଠୀ): ଆସନ୍ତା ୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଏନେଇ ୟୁରୋପିଆନ୍‌ ମଡେଲ ଆକଳନ କରିଛି। ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ୍‌ ପକ୍ଷରୁ ସଙ୍କେତ ମିଳିଥିବାବେଳେ ଲଘୁଚାପର ତୀବ୍ରତା ଓ ଗତିପଥ ସ୍ପଷ୍ଟ କରାଯାଇ ନାହିଁ। ତେବେ ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରଫ୍‌ଲାଇନ୍‌ ରହିଛି, ଯାହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି। ୧୧ରେ ଟ୍ରଫ୍‌ଲାଇନ୍‌ ଦୁର୍ୱଳ ହେବା ପରେ ଲଘୁଚାପ କ୍ଷେତ୍ର ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି। ଅପରପକ୍ଷେ ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି। ବର୍ତ୍ତମାନ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବା ସହ କାଳବୈଶାଖୀ ପ୍ରଭାବ ଜାରି ରହିଛି। ଫଳରେ ସାରା ରାଜ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଥିବାବେଳେ କିଛି ଜିଲାରେ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ। ଗୁରୁବାର ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିସହ ଏହିସବୁ ଅଞ୍ଚଳରେ ଘଡ଼ଘଡ଼ି ବିଜୁଳି ସହ ଘଣ୍ଟାପ୍ରତି ୩୦ ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ୟେଲୋ ଓ୍ୱାର୍ନିଂ ଜାରି କରାଯାଇଛି।
ବୁଧବାର ରାଜ୍ୟର ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା। ମାଲକାନଗିରି ଜିଲାରେ ସର୍ୱାଧିକ ୩୯.୬ ଡିଗ୍ରୀ ଛୁଇଁଥିବାବେଳେ ଫୁଲବାଣୀ ୩୮.୫, ଚାନ୍ଦବାଲି ୩୬.୨, ଭୁବନେଶ୍ୱର ଓ ଅନୁଗୋଳ ୩୬.୧ ଡିଗ୍ରୀ, ନୂଆପଡ଼ା, ଖୋର୍ଦ୍ଧା ଓ ତାଳଚେର ୩୬, ନୟାଗଡ଼ ୩୫.୮, ଜଗତ୍‌ସିଂହପୁର ଓ ପାରଳାଖେମୁଣ୍ଡି ୩୫.୬, ଭଦ୍ରକ ୩୫.୫, ଝାରସୁଗୁଡା ଓ ଜଗତ୍‌ସିଂହପୁରରେ ୩୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Share