ଭୁବନେଶ୍ୱର, ୨୩ା୨(ବନ୍ଦନା ସେଠୀ):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏହାସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଏହା ପ୍ରଥମେ ପଶ୍ଚିମ-ଉତ୍ତରପଶ୍ଚିମ ଓ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଆଡକୁ ଗତି କରିବ। ଏହା ପ୍ରଭାବରେ ସୋମବାର ଓ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବା ସହିତ ପାଗ ମୁଖ୍ୟତଃ ମେଘୁଆ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି ସୂଚନା ଦେଇଛନ୍ତି।
ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ପୁରୀ, ଖୋର୍ଦ୍ଧା, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଯାଜପୁର ଏବଂ କଳାହାଣ୍ଡି ଜିଲାରେ ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି। ତେବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲାକୁ ଘଡ଼ଘଡି ବର୍ଷା ସହ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମଙ୍ଗଳବାର ମଧ୍ୟ ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।
ଅନ୍ୟପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟର ୭ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ଏବଂ ତା’ଠାରୁ କମ୍ ରେକର୍ଡ କରାଯାଇଛି। ପାହାଡିଆ ଅଞ୍ଚଳ ଭାବେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୨ଡିଗ୍ରୀ, ସେମିଳିଗୁଡାରେ ୧୩.୧ ଡିଗ୍ରୀ ଏବଂ ସମତଳ ଅଞ୍ଚଳ ଭାବେ ଫୁଲବାଣୀରେ ୧୪ଡିଗ୍ରୀ ରହିଥିଲା। ସେହିପରି ରାଜ୍ୟର ୫ଟି ସ୍ଥାନରେ ସର୍ବାଧିକ ତାପମାତ୍ରା ବା ଦିନ ତାପମାତ୍ରା ୩୫ ଡିଗ୍ରୀ ଏବଂ ତା’ଠାରୁ ଅଧିକ ରେକର୍ଡ ହୋଇଛି। ପାରଳାଖେମୁଣ୍ଡିଠାରେ ସର୍ବାଧିକ ୩୬.୨ଡିଗ୍ରୀ ତାପମାତ୍ରା ରହିଥିଲା। ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତ୍ସିଂହପୁର ଜିଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Dharitri – Odisha’s No.1 Odia Daily

