ପରିବାରର ବିରୋଧ ସତ୍ତ୍ୱେ ପ୍ରେମୀ ଯୁଗଳଙ୍କ ହେଲା ବିବାହ; ନିରାଶ ହୋଇ ଫେରିଲେ ଝିଅ ଘର ଲୋକ

ହାଟଡିହୀ, ୨୬/୬ (ଶୁଭକାନ୍ତ ନାୟକ): ପରିବାର ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଜଣେ ପ୍ରେମୀ ଯୁଗଳ ନିଜ ଇଚ୍ଛାରେ ବିବାହ କରିଛନ୍ତି। ଝିଅକୁ ଫେରାଇ ନେବାକୁ ଆସିଥିବା ଝିଅ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଶେଷରେ ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଥିଲା। ଏପରି ଘଟଣା କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ଅଞ୍ଚଳରେ ଘଟିଛି।

ଡଙ୍କୁରୀ ଗ୍ରାମର ଅନ୍ତରା ସେନାପତିଙ୍କ ପୁଅ ସ୍ମିତ ରଞ୍ଜନ (୨୬)ଙ୍କ ସହ ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ତାଜପୁର ଗ୍ରାମର ଦିବାକର ସାହୁଙ୍କ ଝିଅ ଶୁଭଶ୍ରୀ (୨୨)ଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୀର୍ଘଦିନର ପ୍ରେମ ସମ୍ପର୍କ ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଥିଲେ। କିନ୍ତୁ ଶୁଭଶ୍ରୀଙ୍କ ପରିବାର ପକ୍ଷରୁ ଏହାକୁ ପ୍ରବଳ ବିରୋଧ କରାଯାଇଥିଲା।

ଶୁକ୍ରବାର ଝିଅ ଘର ଲୋକେ ତାଙ୍କୁ ଫେରାଇ ନେବା ପାଇଁ ନନ୍ଦିପଦା ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସଠାରୁ ଖବର ପାଇ ପ୍ରେମୀ ଯୁଗଳ ମଧ୍ୟ ଥାନାରେ ଉପସ୍ଥିତ ହୋଇଥିଲେ। ପୋଲିସର ଉପସ୍ଥିତିରେ ଉଭୟ ଯୁବକ ଓ ଯୁବତୀ ସ୍ପଷ୍ଟ ଭାବେ କହିଥିଲେ ଯେ, ସେମାନେ ସାବାଳକ ଓ ସାବାଳିକା ଅଟନ୍ତି। ନିଜ ଇଚ୍ଛାରେ ଗତ ଜୁନ ୨୫ ତାରିଖରେ ଏକ ମନ୍ଦିରରେ ବିବାହ କରିଛନ୍ତି। କାହାରି ଚାପ କିମ୍ବା ପ୍ରଲୋଭନରେ ସେମାନେ ଏହି ବିବାହ କରିନାହାନ୍ତି। ସେମାନେ ଏକାଠି ରହିବାକୁ ଚାହୁଁଛନ୍ତି ବୋଲି ଦୃଢ଼ତାର ସହ ପ୍ରକାଶ କରିଥିଲେ।

ପ୍ରେମୀ ଯୁଗଳଙ୍କ ଏହି ବୟାନ ଶୁଣିବା ପରେ ପୋଲିସ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଏହି ମାମଲାରେ ହସ୍ତକ୍ଷେପ କରିବାର କୌଣସି ସୁଯୋଗ ନଥିବା କହିଥିଲା। ଶେଷରେ ଝିଅ ଘର ପରିବାର ଲୋକେ ନିରାଶ ହୋଇ ଥାନାରୁ ଫେରିଯାଇଥିଲେ।

ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି ଯେ, ପ୍ରେମୀ ଯୁଗଳ ସାବାଳକ ଓ ସାବାଳିକା ହୋଇଥିବାରୁ ସେମାନେ ନିଜ ଇଚ୍ଛାରେ ବିବାହ କରିପାରିବେ। ସେମାନଙ୍କ ବିବାହରେ କୌଣସି ଅପରାଧିକ ଉପାଦାନ ନଥିବାରୁ ମାମଲା ରୁଜୁ କରିବାର କୌଣସି ଆଧାର ନାହିଁ। ପରିବାର ଲୋକଙ୍କୁ ବୁଝାସୁଝା କରି ଫେରାଇ ଦିଆଯାଇଛି। ବର୍ତ୍ତମାନ ନବବିବାହିତ ଦମ୍ପତି ଏକାଠି ରହୁଛନ୍ତି।

Dharitri – Odisha’s No.1 Odia Daily

Share