Categories: ଜାତୀୟ

ଲିଭ୍‌ ଇନ୍‌ରେ ରହିପାରିବେ ପ୍ରେମୀଯୁଗଳ

ଚଣ୍ଡୀଗଡ, ୩୧ା୧୨: ବିବାହ ବୟସ ହୋଇ ନ ଥିଲେ ବି ଯୁବତୀଯୁବକ ଏକାଠି ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିପାରିବେ ବୋଲି କହିଛନ୍ତି ପଞ୍ଜାବ ହରିୟାଣା ହାଇକୋର୍ଟ। ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି, ଜଣେ ବ୍ୟକ୍ତି କିପରି ଜୀବନଶୈଳୀରେ ବଞ୍ଚିବେ ତାହା ସମାଜ ସ୍ଥିର କରିପାରିବନି। ଆଇନର ସୀମା ଭିତରେ ରହି ନିଜ ଇଚ୍ଛା ମୁତାବକ ଜୀବନ ଜିଇବାର ସ୍ବାଧୀନତା ସମସ୍ତଙ୍କର ରହିଛି। ଝିଅ ସାବାଳିକା ହେବା ପରେ ନିଜ ପାଇଁ ନିଷ୍ପତ୍ତି ନେଇପାରିବ। ବାପା ମା’ ମଧ୍ୟ ଏଥିରେ ସେମାନଙ୍କୁ ବାଧା ଦେଇପାରିବେ ନାହିଁ କିମ୍ବା ସେମାନଙ୍କ ନିଷ୍ପତ୍ତି ଅନୁସାରେ ପିଲାମାନେ ଚାଲିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି ଜଷ୍ଟିସ୍‌ ଅଳକା ସାରିନ୍‌ଙ୍କ ଖଣ୍ଡପୀଠ କହିଛନ୍ତି। ଜଣେ ୧୯ ବର୍ଷୀୟା ଯୁବତୀ ଏବଂ ୨୧ ବର୍ଷୀୟ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଓ ଏକାଠି ରହିବାକୁ ପରିବାର ବିରୋଧ କରିଥିଲା। ଯୁବତୀଙ୍କ ଘରଲୋକଙ୍କଠାରୁ ସୁରକ୍ଷା ପାଇଁ ସମ୍ପୃକ୍ତ ପ୍ରେମୀଯୁଗଳ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Share