ବୃକ୍ଷ ପ୍ରେମରେ ଛାତ୍ର, ଅଧ୍ୟାପକ

ଖୋର୍ଦ୍ଧା ଅଫିସ,୬ା୧୧: କରୋନା ମହାମାରୀ ଯୋଗୁ ଦୀର୍ଘ ୮ମାସ ଧରି ରାଜ୍ୟର ସମସ୍ତ ସ୍କୁଲ, କଲେଜରେ ପାଠପଢ଼ା ବନ୍ଦ ରହିଛି। କରୋନା ମୁକାବିଲା ଲାଗି ସାମୂହିକ କାର୍ଯ୍ୟ ଉପରେ କଟକଣା ଲଗାଯିବା ସହ ବିନା କାରଣରେ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିଲା। ଏହି ସମୟରେ କଲେଜ ପରିସରରେ ଲଗାଯାଇଥିବା ଫୁଲ ଏବଂ ଔଷଧୀୟ ଗଛର ଯତ୍ନ ନେଉଛନ୍ତି ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଇତିହାସ ବିଭାଗୀୟ ମୁଖ୍ୟ ପ୍ରଫେସର ମନୋଜ ରାଉତ ଏବଂ ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ର ବିଶ୍ୱରଞ୍ଜନ ପ୍ରଧାନ। ଉଭୟଙ୍କ ଏହି କାର୍ଯ୍ୟକୁ କଲେଜ ଅଧ୍ୟକ୍ଷ, ପ୍ରଫେସର, ଅଧ୍ୟାପକ ଏବଂ ସ୍ଥାନୀୟ ଲୋକେ ପ୍ରଂଶସା କରିଛନ୍ତି। ପ୍ରକାଶ ଯେ, କରୋନା ଯୋଗୁ ଗତ ମାର୍ଚ୍ଚ ମାସରେ ସରକାର କଲେଜ ବନ୍ଦ ଲାଗି ଘୋଷଣା କରିବା ପରେ କ୍ୟାମ୍ପସ ପରିସରରେ ରହିଥିବା ଗଛର କିପରି ଯତ୍ନ ନିଆଯିବ, ସେନେଇ ପ୍ରଫେସର ରାଉତ ଚିନ୍ତାରେ ପଡିଯାଇଥିଲେ। ଏ ଟ୍ରି ନିଡ୍‌ସ ମାଇଣ୍ଡ ନଟ୍‌ ମନି(ଗୋଟିଏ ବୃକ୍ଷ ମନ ଚାହେଁ ଅର୍ଥ ନୁହେଁ) ପ୍ରଫେସର ରାଉତଙ୍କ ଏହି ଆହ୍ବାନକୁ ନୟାଗଡ଼ ଜିଲା ଚମ୍ପାଗଡ଼ ପଞ୍ଚାୟତ ଶ୍ରୀକୃଷ୍ଣପୁର ନିବାସୀ ଛାତ୍ର ବିଶ୍ୱରଞ୍ଜନ ଚାଲେଞ୍ଜ ଭାବେ ଗ୍ରହଣ କରିଥିଲେ। ପରେ ଘର ଭଡ଼ା ନେଇ କ୍ୟାମ୍ପସରେ ଲାଗିଥିବା ଗଛଗୁଡିକର ଯତ୍ନ ନେଉଛନ୍ତି। ପାଖରେ ସ୍ବଳ୍ପ ଟଙ୍କା ଥିଲେ ମଧ୍ୟ କ୍ୟାମ୍ପସରେ ସବୁଜ ବଳୟ ଲାଗି ଅଣ୍ଟା ଭିଡିଛନ୍ତି। ସକାଳ ଏବଂ ସନ୍ଧ୍ୟାରେ ଗଛରେ ପାଣି ଦେବା ସହ, ଅନାବନା ଗଛ, ଘାସ ଓପାଡୁଛନ୍ତି। କ୍ୟାମ୍ପସକୁ ଏକ ସୁନ୍ଦର ସବୁଜ ପରିବେଶ ସୃଷ୍ଟି କରିଛନ୍ତି। ଏଥିସହିତ କ୍ୟାମ୍ପସ ଆଗରେ ବୁଲୁଥିବା ଗୋରୁ ଓ ବୁଲା କୁକୁରଙ୍କ ସେବା କରିବାକୁ ମଧ୍ୟ ସେ ଭୁଲି ନାହାନ୍ତି। ତାଙ୍କ ସେବା ଲାଗି ପ୍ରଫେସର ରାଉତ ମଧ୍ୟ ଆଗେଇ ଆସିଛନ୍ତି। କରୋନା ସମୟରେ ଉଭୟ ଗଛଗୁଡିକ ଯତ୍ନ ନେଉଛନ୍ତି। ଘଣ୍ଟା ଘଣ୍ଟା ଧରି ବଗିଚାରେ ସମୟ ଅତିବାହିତ କରୁଛନ୍ତି। ପରିବେଶ ସୁରକ୍ଷା ଲାଗି ବିଶ୍ୱରଞ୍ଜନ ଏବଂ ପ୍ରଫେସର ରାଉତ ଯୁବ ସମାଜ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି।