୪ ମାସ ତଳେ କରିଥିଲେ ପ୍ରେମ ବିବାହ: ନବବଧୂଙ୍କୁ ତଣ୍ଟି ଚିପି ହତ୍ୟା, ଏଭଳି ଅଭିଯୋଗ ଆଣି…

ଥୁଆମୂଳ ରାମପୁର, ୧୮ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଧୀନ କାଦୋବେଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୧୮ ବର୍ଷୀୟା ନବବଧୂଙ୍କୁ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଏକ ଅଭିଯୋଗ ହୋଇଛି। ମୃତକ ହେଲେ ଓଡ୍ରି ପଞ୍ଚାୟତ ବଡ଼ ବୋଫଲା ଗ୍ରାମର ଭଜମନ ନାଏକଙ୍କ ଝିଅ ବନିତା ନାଏକ। ଅଭିଯୋଗକୁ ଭିତ୍ତି କରି ପୋଲିସ ମହିଳାଙ୍କ ସ୍ବାମୀଙ୍କ ସମେତ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ବନିତା ପ୍ରାୟ ୪ ମାସ ତଳେ ମହୁଲ ପାଟଣା ପଞ୍ଚାୟତ କାଦୋବେଡ଼ା ଗ୍ରାମର କରୁଣା ମୁଦୁଲିଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ଶୁକ୍ରବାର ପାରିବାରିକ କଳହକୁ କେନ୍ଦ୍ର କରି ସ୍ବାମୀ କରୁଣା, ଶ୍ୱଶୁର କୁମ ମୁଦୁଲି ଓ ଶାଶୁ ଧନେଶ୍ୱର ମୁଦୁଲି ମିଶି ନବବଧୂ ବନିତାଙ୍କୁ ଅମାନୁଷିକ ଭାବେ ଲାତ, ବିଧା ଓ ଗୋଇଠା ମାରି ଶେଷରେ ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟା ପରେ ଘଟଣାକୁ ଲୁଚାଇବା ପାଇଁ ମୃତଦେହକୁ ଖଟ ଉପରେ ଶୁଆଇ ଦେଇଥିଲେ।

ଅନ୍ୟପକ୍ଷେ ଝିଅର ହତ୍ୟା ପଛରେ ଶ୍ୱଶୁର ଘରର ସମସ୍ତ ଲୋକଙ୍କ ହାତ ରହିଥିବା ନେଇ ବାପା ଭଜମନ ନାଏକ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ସଦର ଏସ୍‌ଡିପିଓ (SDPO) ନରେଶ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ତଥ୍ୟ ପ୍ରମାଣ ସଂଗ୍ରହ ପାଇଁ ଭବାନୀପାଟଣାରୁ ଏକ ସାଇଣ୍ଟିଫିକ ଟିମ୍‌ କାଦୋବେଡ଼ା ଗ୍ରାମରେ ପହଞ୍ଚି ଛାନଭିନ କରିବା ସହ ବିଭିନ୍ନ ନମୁନା ସଂଗ୍ରହ କରିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ୩ଜଣଙ୍କୁ ଥାନାରେ ଅଟକ ରଖିଛି।

ଏ ନେଇ ଥୁଆମୂଳ ରାମପୁର ଥାନାରେ ଏକ ମାମଲା (ନଂ.୫୨/୨୬) ଏବଂ ବିଏନ୍‌ଏସ୍‌ (BNS)ଧାରା ୮୫, ୧୦୩(୧) ଓ ୩(୫) ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ଏସ୍‌ଆଇ ସନ୍ତୋଷ କୁମାର ସେଠୀ ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ ମାମଲାର ତଦନ୍ତ କରୁଛନ୍ତି। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Share