Categories: ଜାତୀୟ

ଶିବରାଜଙ୍କ କ୍ୟାବିନେଟ୍‌ରେ ଲଭ୍‌ ଜିହାଦ୍‌

ଭୋପାଳ,୨୯।୧୨: ଲଭ୍‌ ଜିହାଦ୍‌ ବିରୋଧରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ସରକାର କଡ଼ା ଆଇନ ଆଣିବାକୁ ଯାଉଛନ୍ତି। ଏସମ୍ପର୍କିତ ଏକ ଆଧ୍ୟାଦେଶକୁ ମଙ୍ଗଳବାର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହାକୁ ଅନୁମୋଦନ ପାଇଁ ରାଜ୍ୟପାଳ ଆନନ୍ଦିବେନ୍‌ ପଟେଲଙ୍କ ପାଖକୁ ପଠାଇ ଦିଆଯାଇଛି। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ଧର୍ମ ସ୍ବତନ୍ତ୍ରତା ବିଧେୟକ-୨୦୨୦ ଅନ୍ତର୍ଗତ ଏହି ଆଇନ ପ୍ରଣୟନ କରାଯିବ। ଆଇନରେ ୧୯ଟି ବିଭିନ୍ନ ପ୍ରାବଧାନ ରହିଛି। ପୀଡ଼ିତ ପକ୍ଷଙ୍କ ପରିଜନଙ୍କ ଅଭିଯୋଗ ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମିଛ କହି ଧର୍ମପରିବର୍ତ୍ତନ କରି ବିବାହ କରିଥିବା କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହେଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଓ ୨୫ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରାଯିବ। ସେହିପରି ସମ୍ପତ୍ତି ଲୋଭରେ ଧର୍ମପରିବର୍ତ୍ତନ କରି ବିବାହ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଏଭଳି ବିବାହର ମାନ୍ୟତା ରଦ୍ଦ କରାଯିବା ସହିତ ୧୦ ବର୍ଷର ଜେଲ୍‌ ଏବଂ ୫୦ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରାଯିବ। ଅପରପକ୍ଷରେ ସାମୁହିକ ଧର୍ମ ପରିବର୍ତ୍ତନ କ୍ଷେତ୍ରରେ ଲକ୍ଷେ ଟଙ୍କାର ଜରିମାନା ଦଣ୍ଡାଦେଶ କରାଯିବା।

Share