ପ୍ରେମ ମାନେ ନା ବାଧା ବନ୍ଧନ, ରାଜସ୍ଥାନ ସୀମାରେ ଧରାପଡ଼ିଲା ପାକିସ୍ତାନୀ ପ୍ରେମିକ…

ଜୟପୁର,୬।୧୨: କଥାରେ ଅଛି ପ୍ରେମ ବାଧା ବନ୍ଧନ ମାନେ ନା। ଏହାର ସଦ୍ୟତମ ଉଦାହରଣ ରାଜସ୍ଥାନ ସୀମାରେ ଦେଖିବାକୁ ମିଳିଛି। ଜଣେ ପାକିସ୍ତାନୀ ଯୁବକ ସୀମାର ଶ୍ରୀ ଗଙ୍ଗା ନଗରଠାରେ ଭାରତରେ ଅନୁପ୍ରବେଶ କରୁଥିବାବେଳେ ବିଏସ୍‌ଏଫ୍‌ ହାତରେ ଧରା ପଡ଼ିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଭାରତୀୟ ସୀମାରେ ପ୍ରବେଶ କରିଥିବା ଏହି ପାକିସ୍ତାନୀ ଯୁବକଙ୍କୁ ସେଠାରେ ପାଟ୍ରୋଲିଂ କରୁଥିବା ବିଏସଏଫ କର୍ମଚାରୀ ଧରିଥିଲେ। ରବିବାର ତାଙ୍କୁ ସ୍ଥାନୀୟ ପୋଲିସ ହସ୍ତାନ୍ତର କରାଯାଇଥିଲା। ମହମ୍ମଦ କହିଛନ୍ତି ଯେ ସୋସିଆଲ ମିଡିଆରେ ସେ ଜଣେ ଭାରତୀୟ ଝିଅଙ୍କ ସହ ଯୋଗାଯୋଗରେ ଆସିଥିଲେ। ପରେ ସମ୍ପର୍କ ଅତି ନିବିଡ଼ ହେବାରୁ ଦୁଇଜଣଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥିଲା।

ଯୁବକ ଜଣଙ୍କ ଭାରତୀୟ ପ୍ରେମିକାଙ୍କୁ ସାକ୍ଷାତ କରିବାକୁ ଆସିଛନ୍ତି ବୋଲି ପଚରାଉଚରା ବେଳେ କହିଥିଲେ। ତେବେ ଇଣ୍ଟେଲିଜେନ୍ସ ଏଜେନ୍ସି ପକ୍ଷରୁ ମିଳିତ ଭାବେ ଯୁବକଙ୍କୁ ପଚରାଉଚରା କରାଯିବ।

ବିଏସଏଫ କର୍ମଚାରୀମାନେ ଯୁବକଙ୍କୁ ଧରିବା ସମୟରେ ସେ କର୍ଡନ ପାର ହେବାକୁ ଚେଷ୍ଟା କରୁଥିଲେ। ତାଙ୍କ ବୟସ ୨୨ ବର୍ଷ ବୋଲି ସେ କହିଛନ୍ତି। ତାଙ୍କ ନିକଟରୁ ଏକ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି।

Share