ବ୍ରେକ୍‌ଅପ୍‌ ଅବସାଦ ଦୂର କରିବ ‘ଲଭ୍‌ ବେଟର’

ନ୍ୟୁଜିଲାଣ୍ଡ, ୨୩। ୩: ବର୍ତ୍ତମାନର ଯୁବପିଢ଼ିଙ୍କ କ୍ଷେତ୍ରରେ ବ୍ରେକ୍‌ଅପ୍‌ଜନିତ ଅବସାଦ ଅଧିକମାତ୍ରାରେ ବଢ଼ିଯାଇଛି। ପ୍ରେମରେ ପ୍ରତାରଣା ତଥା ପ୍ରେମୀ ଯୁଗଳଙ୍କ ମଧ୍ୟରେ ମତାନ୍ତର ହେବା ପରେ ଉଭୟେ ସମ୍ପର୍କ ଶେଷ କରିବାର ଯେଉଁ ନିଷ୍ପତ୍ତି ନିଅନ୍ତି, ତାହା ହେଉଛି ବ୍ରେକ୍‌ଅପ୍‌। ବ୍ରେକ୍‌ଅପ ପରେ ଯୁବକ ହୁଅନ୍ତୁ ଅବା ଯୁବତୀ ନିଃସଙ୍ଗ ହୋଇଯାଆନ୍ତି। ଏପରିକି ସେମାନଙ୍କ ଆତ୍ମବିଶ୍ୱାସ ହ୍ରାସ ହେବା ସହ ଯୁବତୀଯୁବକ ଚିନ୍ତାଗ୍ରସ୍ତ ହୋଇପଡ଼ନ୍ତି। ତେବେ ଯୁବପିଢ଼ିଙ୍କଠାରେ ଦେଖାଯାଉଥିବା ଏ ପ୍ରକାର ବ୍ୟତିକ୍ରମ ଦୂରକରିବା ପାଇଁ ନ୍ୟୁଜିଲାଣ୍ଡରେ ‘ଲଭ୍‌ ବେଟର’ କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି।

ଭଲପାଉଥିବା ମଣିଷଠାରୁ ସବୁଦିନ ପାଇଁ ସମ୍ପର୍କ ଛିନ୍ନ କରିବା ପରେ ବ୍ୟକ୍ତିର ମାନସିକ ସ୍ଥିତି ବିଚଳିତ ହେବା ସହ ଆବେଗିକ ଅଶାନ୍ତି ସୃଷ୍ଟି ହୁଏ। କହିବାକୁ ଗଲେ ବ୍ରେକ୍‌ଅପ୍‌ ପରେ ବ୍ୟକ୍ତିର ଜୀବନଶୈଳୀ ବ୍ୟାପକ ପ୍ରଭାବିତ ହୋଇଯାଏ। ଅନେକ ସମୟରେ ସେମାନେ ଆତ୍ମହତ୍ୟା ଓ ହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ମଧ୍ୟ ପଛାଇ ନ ଥାଆନ୍ତି। ଏହି ସମସ୍ୟାର ସମାଧାନ ପାଇଁ ‘ଲଭ୍‌ ବେଟର’ ଯୁବପିଢ଼ିଙ୍କୁ ଖୁସିରେ ଜୀବନ କାଟିବାର ଏକ ନୂଆ ଦିଗ ଦେଖାଇବାରେ ସାହାଯ୍ୟ କରିବ। ସମ୍ପର୍କ ଭାଙ୍ଗିଯିବାର ଦୁଃଖ ଦୂର କରିବା ପାଇଁ ଉପାୟ ଲଭ୍‌ ବେଟର ଦେଇଥାଏ। ବୁଧବାର କ୍ୟାମ୍ପେନ୍‌ ନେଇ ଘୋଷଣା କରାଯିବା ପରେ ଆସୋସିଏଟ୍‌ ମିନିଷ୍ଟର ଫର୍‌ ସୋସିଆଲ ଡେଭଲପ୍‌ମେଣ୍ଟ ପ୍ରିୟଙ୍କା ରାଧାକ୍ରିଷ୍ଣନ୍‌ କହିଛନ୍ତି, ଯୁବପିଢ଼ିଙ୍କୁ ଅବସାଦ ଦୂର କରିବା ପାଇଁ ସରକାର ସହଯୋଗ କରିବାକୁ ଆଗ୍ରହୀ। ରିଲ୍‌, ର’ ଷ୍ଟୋରି ସାହାଯ୍ୟରେ ପ୍ରତିଟି ବ୍ୟକ୍ତିଙ୍କ ପାଖରେ ପହଞ୍ଚତ୍ବାକୁ କ୍ୟାମ୍ପେନ୍‌ ଲକ୍ଷ୍ୟ ରଖିଛି। ଗତ ତିନି ବର୍ଷ ହେବ ସରକାର ଲଭ୍‌ ବେଟର କ୍ୟାମ୍ପେନ୍‌ରେ ୬.୪ ମିଲିୟନ ନ୍ୟୁଜିଲାଣ୍ଡ ଡଲାର (୩୩,୦୮,୩୦,୦୦୦ ଟଙ୍କା) ବିନିଯୋଗ କରିଥିବା କହିଛନ୍ତି। ନ୍ୟୁଜିଲାଣ୍ଡରେ ୧୬ରୁ ୨୪ ବର୍ଷ ବୟସ ବର୍ଗର ପ୍ରତି ୧୦ ମଧ୍ୟରୁ ୬ ଜଣ ଅବସାଦ ଦେଇ ଗତି କରୁଛନ୍ତି। ଫଳରେ ଯୁବପିଢ଼ିଙ୍କ କ୍ଷେତ୍ରରେ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ଜାତିସଂଘର ୟୁନିସେଫ୍‌ ରିପୋର୍ଟ ମୁତାବକ ନ୍ୟୁଜିଲାଣ୍ଡରେ ସର୍ବାଧିକ ଯୁବପିଢ଼ି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥାନ୍ତି।

Share