ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।
ଛତ୍ରପୁର ଥାନା ପରିସରରେ ବୁଧବାର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଏସ୍ଡିପିଓ ଚନ୍ଦନ କୁମାର ଘଡ଼ାଇ ଓ ଛତ୍ରପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ପ୍ରମୁଖ ଯୋଗଦେଇ ପୂଜା କମିଟିଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି।
ବୈଠକରେ ଗଞ୍ଜାମ ଜିଲା ଆରକ୍ଷୀ ଅଧୀକ୍ଷକ ହରିଶ ବି.ସି.ଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ବିଷୟରେ ପ୍ରଥମେ ସମସ୍ତ ପୂଜାମଣ୍ଡପ ଆୟୋଜକ ଏବଂ ଡିଜେ ମାଲିକଙ୍କୁ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଅବଗତ କରାଇଥିଲେ।
ପେଣ୍ଡାଲ ଓ ତୋରଣ ନିର୍ମାଣ କରିବା ପୂର୍ବରୁ ପ୍ରଶାସନ ପକ୍ଷରୁ ଷ୍ଟ୍ରକ୍ଚରାଲ ସାର୍ଟିଫିକେଟ ନେବା ପାଇଁ ପୋଲିସ ପକ୍ଷରୁ ବାଧ୍ୟତାମୂଳକ କରିଯାଇଛି। ଏହା ସହିତ ମହିଳାମାନେ ସୁରକ୍ଷିତ ଦର୍ଶନ କରିପାରିବେ ଏବଂ ସେମାନଙ୍କ ପ୍ରତି କୌଣସି ଅସଦାଚରଣ ନ ହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ପାଇଁ ଆୟୋଜକମାନଙ୍କୁ ଏସ୍ଡିପିଓ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଉଚ୍ଚ ଶବ୍ଦରେ ଏବଂ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଧ୍ୱନି ନ ବଜାଇବା ଏବଂ ଗର୍ଜନ ସୃଷ୍ଟି କରୁଥିବା ଧ୍ୱନିକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ଏହା ସହିତ ବିଶୃଙ୍ଖଳା ସୃଷ୍ଟି ନ କରିବା, ରାସ୍ତା ଅବରୋଧ ନ କରିବା, ମଦ୍ୟପାନ ଓ ନିଶାସେବନ ନ କରିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି। ପୂଜାମଣ୍ଡପରେ ସିସିଟିଭି, ଅଗ୍ନିନିର୍ବାପକ ବ୍ୟବସ୍ଥା ଓ ବିଦ୍ୟୁତ୍ ସୁରକ୍ଷା ଅନିବାର୍ଯ୍ୟ କରାଯାଇଛି।
ସହରରେ ପ୍ରଥମ ଥର ପାଇଁ ଅସ୍ଥାୟୀ ଜଳାଶୟରେ ମୂର୍ତ୍ତି ବିସର୍ଜନ କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ଭସାଣି ପୂର୍ବରୁ ସମସ୍ତ ପୂଜାମଣ୍ଡପ କର୍ମକର୍ତ୍ତାଙ୍କୁ ଦିନ, ସମୟ ଏବଂ ଶୋଭାଯାତ୍ରା ରୁଟ୍ ବିଷୟରେ ପୋଲିସ ପକ୍ଷରୁ ଅନୁମତି ନେବା ପାଇଁ କୁହାଯାଇଛି।
ଭସାଣି ନିର୍ଦ୍ଧାରିତ ଦିନ ଏବଂ ସମୟସୀମା ମଧ୍ୟରେ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଭସାଣିସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନିୟୋଜିତ କରିବାକୁ କୁହାଯାଇଛି। ବୈଠକରେ ଛତ୍ରପୁର ସହରର ପ୍ରାୟ ୩୦ରୁ ୩୫ଟି ପୂଜାମଣ୍ଡପର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

