Categories: ଜାତୀୟ

ହାରିଗଲେ ମମତା: ଜାଣନ୍ତୁ କେମିତି ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା, ୩।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳରେ ତୃଣମୂଳ କଂଗ୍ରେସ ଏକ ବଡ଼ ବିଜୟ ହାସଲ କରିଛି। ନିର୍ବାଚନରେ ଟିଏମ୍‌ସି ଭାଜପାକୁ ପରାସ୍ତ କରିଥିବା ସତ୍ତ୍ୱେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଠାରୁ ହାଇପ୍ରୋଫାଇଲ୍‌ ଆସନ ଭାବରେ ବିବେଚନା କରାଯାଉଥିବା ନନ୍ଦିଗ୍ରାମରୁ ହାରିଯାଇଛନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଛନ୍ତି। ତେବେ ପ୍ରଶ୍ନ ଉଠିଛି ଯେ, ହାରିଯାଇଥିଲେ ମଧ୍ୟ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବରେ ଜାରି ରଖିବେ କି? ତେବେ ସର୍ଭେ ବିଶ୍ଳେଷକମାନେ କହିଛନ୍ତି ଯେ ସେ ନିଶ୍ଚିତ ଭାବରେ ପୁଣି ଥରେ ମମତା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବେ। ଭାରତର ତିନୋଟି ଜନବହୁଳ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଯୋଗୀ ଆଦିତ୍ୟନାଥ ଏବଂ ଉଦ୍ଧବ ଠାକରେ ସମସ୍ତେ ବିଧାନସଭାର ଅଂଶ ନ ଥିବାବେଳେ ନିଜ ନିଜ ରାଜ୍ୟର ବିଧାନ ପରିଷଦର ସଦସ୍ୟ ଅଟନ୍ତି। ସରଳ ଭାବରେ କହିବାକୁ ଗଲେ ସେମାନେ ମୁଖ୍ୟମନ୍ତ୍ରୀ ହେବାକୁ ବିଧାନସଭା ନିର୍ବାଚନରେ ଜିତି ନାହାଁନ୍ତି।
ଧାରା ୧୬୪ ଧାରାରେ ଉଲ୍ଲେଖ ଅଛି ଯେ, ଜଣେ ବିଧାୟକ ନ ହୋଇ ମଧ୍ୟ ମନ୍ତ୍ରୀ ହୋଇପାରିବ। କିନ୍ତୁ ୬ ମାସ ମଧ୍ୟରେ ତାଙ୍କୁ ସଦସ୍ୟତା ହାସଲ କରିବାକୁ ପଡିବ। ଏହାର ଅର୍ଥ ହେଉଛି, ମମତା ବାନାର୍ଜୀଙ୍କ ବିଧାୟକ/ଏମ୍‌ପି ହେବାକୁ ୬ ମାସ ସମୟ ଅଛି। କୌଣସି ବିଧାନ ପରିଷଦ ନ ଥିବାରୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ୬ ମାସ ମଧ୍ୟରେ ଏକ ଖାଲି ଆସନରୁ ନାମାଙ୍କନପତ୍ର ଦାଖଲ କରିବାକୁ ପଡ଼ିବ ଏବଂ ଉପ-ନିର୍ବାଚନରେ ଜିତି ସଦସ୍ୟ ହେବାକୁ ପଡିବ।

Share