ପୂଜକଙ୍କୁ ସ୍ବପ୍ନରେ ପ୍ରଭୁ କହିଲେ ମୋତେ ଉଦ୍ଧାର କର, ସକାଳେ ମାଟିତଳୁ ମିଳିଲା ମୂର୍ତ୍ତି

ଚିତ୍ରକୋଣ୍ଡା,୧୯ା୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡାସ୍ଥିତ ତିରୁପତି ବାଲାଜୀ ମନ୍ଦିରର ପୂଜକ ରବି ଶାସ୍ତ୍ରୀଙ୍କୁ ଗତ ୧୭ ତାରିଖ ରାତିରେ ସ୍ବପ୍ନାଦେଶ ହୋଇଥିଲା। ମନ୍ଦିର ପରିସରରେ ପ୍ରଭୁ ମାଟିତଳେ ପୋତି ହୋଇ ରହିଛନ୍ତି। ତାଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ହୋଇଥିଲା। ୧୮ ତାରିଖ ସକାଳୁ ପୂଜକ ଶାସ୍ତ୍ରୀ ସ୍ବପ୍ନାଦେଶ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ଓ ଚିତ୍ରକୋଣ୍ଡା ଗ୍ରାମବାସୀଙ୍କୁ ଜଣାଇଥିଲେ। ଉକ୍ତ ମୂର୍ତ୍ତିକୁ ଉଦ୍ଧାର କରିବା ପାଇଁ ପୂଜାବିଧି ମୁତାବକ ମହିଳାମାନେ ସିଲେରୁ ନଦୀକୂଳରୁ ଦେଢ଼ କିଲୋମିଟର ନଦୀଘାଟରୁ ଜଳ ଉଠାଇ କଳସ ଯାତ୍ରାକରି ଉକ୍ତ ମନ୍ଦିର ପରିସରସ୍ଥ ନିର୍ଦ୍ଦିଷ୍ଟ ସ୍ଥାନକୁ ଚି଼ହ୍ନଟ କରି ଖୋଳିବା କାର୍ଯ୍ୟ ଆରମ୍ଭ କରିଥିଲେ। ସାତଫୁଟ ଖୋଳିବା ପରେ ମୂର୍ତ୍ତିର କିଛି ଅଂଶ ଦେଖାଯିବା ପରେ ଭକ୍ତଙ୍କର ସମାଗମ ବଢ଼ିବାରେ ଲାଗିଥିଲା। କିଛି ସମୟ ପରେ ମୂର୍ତ୍ତିର ସମ୍ପୂର୍ଣ୍ଣ ଅଂଶ ପଦାକୁ ବାହାରିଥିଲା। ଦଶ ଇଞ୍ଚ ବିଶିଷ୍ଟ ସାପ ଚିତ୍ର ସହ ଠାକୁରଙ୍କ ପଥର ନିର୍ମିତ ମୂର୍ତ୍ତିକୁ କଢ଼ାଯାଇ ପୂଜାର୍ଚ୍ଚନା ପରେ ମନ୍ଦିରରେ ରଖାଯାଇଥିଲା।
ଏହାକୁ କେହି କେହି ବାଲାଜୀ ଠାକୁରଙ୍କ ମୂର୍ତ୍ତି କହୁଥିବା ବେଳେ କେହି କେହି ମା’ ଗଙ୍ଗା ଦେବୀଙ୍କର ପଥର ମୂର୍ତ୍ତି ବାହାରି ଥିବା କହୁଛନ୍ତି।