ମହାପ୍ରଭୁଙ୍କ ନବଯୌବନ ଦର୍ଶନ: ବଡ଼ଦାଣ୍ଡରେ ମୁଣ୍ଡିଆ ମାରିଲେ ଶ୍ରଦ୍ଧାଳୁ

ପୁରୀ ଅଫିସ,୯।୭: ୧୫ ଦିନିଆ ଅଣସର ସରିବା ପରେ ଶୁକ୍ରବାର ମହାପ୍ରଭୁ ନବଯୌବନ ଦର୍ଶନ ଦେଇଛନ୍ତି। ଖଡ଼ିଲାଗି ଓ ବନକଲାଗି ନୀତି ପରେ ନୂଆ ରୂପରେ ଚମକିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ତେବେ କରୋନା କଟକଣା ଯୋଗୁୁ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହୋଇଥିବା ବେଳେ ବଡ଼ଦାଣ୍ଡରେ ମୁଣ୍ଡିଆ ମାରି କୃତାର୍ଥ ଲଭିଛନ୍ତି।
ଗୁରୁବାର ରାତ୍ରରୁ ବନକଲାଗି ନୀତି ଅନୁଷ୍ଠିତ ହୋଇଥିବା ବେଳେ ଶୁକ୍ରବାର ମଧ୍ୟାହ୍ନ ୧୨ଟା ପରେ ନବଯୌବନ ଦର୍ଶନ ହୋଇଛି। ତେବେ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ୪ଘଣ୍ଟା ବିଳମ୍ବରେ ନୀତିକାନ୍ତି ସରିଥିଲା। ଚଳିତବର୍ଷ ୩ଦିନ ଧରି ନବଯୌବନ ଦର୍ଶନ ଚାଲିବ। ଦୀର୍ଘ ୨୦ବର୍ଷ ପରେ ଏଭଳି ଦୁର୍ଲ୍ଲଭ ସଂଯୋଗ ସତ୍ତ୍ୱେ କୋଭିଡ୍‌ କଟକଣା ଯୋଗୁ ଏହି ଦର୍ଶନରୁ ଭକ୍ତଙ୍କୁ ବଞ୍ଚିତ ହେବାକୁ ପଡ଼ିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର କହିଛନ୍ତି, ନବଯୌବନ ନୀତିକାନ୍ତି ବିଳମ୍ବ ହୋଇଥିଲା ସତ, ମାତ୍ର ପରେ ସବୁ ଠିକ୍‌ଠାକ୍‌ ଚାଲିଥିଲା। ତେବେ ରଥଯାତ୍ରାରେ ପହଣ୍ଡି ଓ ରଥଟଣା ସମେତ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ନେଇ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଆଶାବାଦୀ। ଅନ୍ୟପକ୍ଷରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ସମ୍ମୁଖ ବ୍ୟାରିକେଡ୍‌ ବାହାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ପତିତପାବନଙ୍କ ଦର୍ଶନ କରି ଫେରିଛନ୍ତି।

ସହଧର୍ମିଣୀଙ୍କ ସହ ଭୁବନେଶ୍ୱରରୁ ଆସିଥିବା ସୁରେନ୍ଦ୍ର ମହାପାତ୍ର କହିଛନ୍ତି, ଦୀର୍ଘଦିନ ଧରି ନବଯୌବନ ଦର୍ଶନର ଆକାଂକ୍ଷା ମନ ଭିତରେ ରହିଥିଲା। ତାହା ଆଜି କେତେକାଂଶରେ ପୂରଣ ହୋଇଛି। କଟକଣା ଯୋଗୁ ଶ୍ରୀମନ୍ଦିରକୁ ଯିବାର ସୁଯୋଗ ମିଳି ନ ଥିଲେ ମଧ୍ୟ ବଡ଼ଦାଣ୍ଡରେ ପତିତପାବନଙ୍କୁ ଦର୍ଶନ କରି ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭ କରିବା ଭଳି ମନେ କରୁଛି।