ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ

ପୁରୀ ଅଫିସ, ୮ା୧୧: ଶ୍ରୀମନ୍ଦିରରେ ସୋମବାର ପ୍ରଭୁ ବଳଭଦ୍ର ହରିହର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଅବକାଶ ନୀତି ପରେ ପୁଷ୍ପାଳକ ସେବକମାନେ ପ୍ରଭୁ ବଳଭଦ୍ରଙ୍କୁ ହରିହର ବେଶରେ ସଜ୍ଜିତ କରିଥିଲେ। ପ୍ରଭୁ ବଳଭଦ୍ର ବାମପାର୍ଶ୍ୱରେ କଳା ଓ ଡାହାଣ ପାର୍ଶ୍ୱରେ ଧଳା ରଙ୍ଗ ବସ୍ତ୍ର ପରିଧାନ ସହ ୩୨ରୁ ଊର୍ଦ୍ଧ୍ୱ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଭୂଷିତ ହୋଇଥିଲେ। ବଳଭଦ୍ରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ହରିଙ୍କ ସହ ହରଙ୍କ ଆତ୍ମୀୟତା ଏହି ବେଶରେ ପ୍ରକଟିତ ହୋଇଥାଏ। ଶାସ୍ତ୍ରରେ ହରି ଓ ହର ଅଭିନ୍ନ ବୋଲି ଉଲ୍ଲେଖ ରହିଛି। ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ରାଧାଦାମୋଦର ବେଶରେ ଦର୍ଶନ ଦେଇଥିଲେ। ଦୀପାବଳି ଅମାବାସ୍ୟା ପରଠାରୁ ଶୁକ୍ଳ ଦଶମୀ ମଧ୍ୟରେ ପଡୁଥିବା ସୋମବାରରେ ପ୍ରଭୁ ବଳଭଦ୍ରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଥାଏ।