ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣାରେ ୩ ଜଣଙ୍କୁ ଗିରଫ କଲା ପୋଲିସ, ଦୁଇ ବାଇକ୍‌ ଜବତ

କୋରାପୁଟ,୬ା୨(ସ୍ବ.ପ୍ର.): କୋରାପୁଟ ସହରରେ କିଛିଦିନ ତଳେ ଲୁଟେରାଙ୍କ ଦ୍ୱାରା ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାରେ ଜଡ଼ିତ ୩ ଜଣଙ୍କୁ ସୋମବାର କୋରାପୁଟ ଟାଉନ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୭୦ ହଜାର ୫୪୬ ଟଙ୍କା ସହ ଦୁଇଟି ବାଇକ୍‌ ଜବତ ହୋଇଥିବା ବେଳେ ୩ ମୋବାଇଲ ଜବତ କରାଯାଇଥିବା ସୋମବାର ସ୍ଥାନୀୟ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏସ୍‌ପି ଅଭିନବ ସୋନକାର ସୂଚନା ଦେଇଛନ୍ତି। ଗିରଫ ୩ ଲୁଟେରା ହେଲେ ଏ ଶିବା (୩୦), ରାଜେନ୍ଦ୍ର (୨୩), ଏ ଅର୍ଜୁନ (୧୯) ଏମାନେ ସମସ୍ତେ ଗଞ୍ଜାମ ଜିଲାର ବୋଲି ପୋଲିସ କହିଛି। କିନ୍ତୁ ଲୁଟ୍‌ ଘଟଣାର ମାଷ୍ଟରମାଇଣ୍ଡ ବର୍ତ୍ତମାନ ଫେରାର ରହିଛନ୍ତି। ଟାଉନ ଥାନାରେ ଏ ନେଇ ୩୦/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଏହି ଖବରଦାତା ସମ୍ମିଳନୀରେ ଏସ୍‌ପିଓ ମନୋଜ ପୂଜାରୀଙ୍କ ସମେତ ଟାଉନ ଥାନାଧିକାରୀ ଧୀରେନ ପଟ୍ଟନାୟକ ଓ ଏସ୍‌ଆଇ ସୁଦର୍ଶନ ଅଧିକାରୀ ଉପସ୍ଥିତ ଥିଲେ।