ଦୋକାନ ତାଲା ପକାଇବା ବେଳେ ଲୁଟିନେଲେ ଗହଣା

ଭଦ୍ରକ ଅଫିସ, ୨୦।୧୧: ଭଦ୍ରକ ସହରରେ ପୁଣି ଲୁଟେରାଙ୍କ ଆତଙ୍କରାଜ। ଖୋଲା ଖୋଲି ପୋଲିସକୁ ଚ୍ୟାଲେଞ୍ଜ ଦେଇ ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରୁ ଶୁକ୍ରବାର ରାତିରେ ଲୁଟେରା ଗହଣା ଭର୍ତ୍ତି ବ୍ୟାଗକୁ ଲୁଟି ନେଇଛନ୍ତି।

ସୂଚନାନୁସାରେ, ଭଦ୍ରକ ଏସ୍‌ପିଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା କୋଲକାତା ଜୁଏଲର୍ସ ଦୋକାନରୁ ଲୁଟ୍‌ ହୋଇଛି । ଦୋକାନୀ ଗୋବିନ୍ଦ ଦାସଙ୍କ କହିବା ଅନୁଯାୟୀ ସେ ଦୋକାନ ବନ୍ଦ ବେଳେ ସୁନା ଗହଣା ଘରକୁ ନେବା ପାଇଁ ଏକ ବ୍ୟାଗରେ ଭର୍ତ୍ତି କରିଥିଲେ । ବ୍ୟାଗକୁ ତଳେ ରଖି ଦୋକାନର ତାଲା ବନ୍ଦ କରୁଥିବା ବେଳେ ଜଣେ ଲୁଟେରା ଦୁଇଟି ବ୍ୟାଗ ନେଇ ଯାଇଥିଲେ। ପାଖ ଦୋକାନରେ ଥିବା ମହିଳା ପାଟି କରିବାରୁ ଲୁଟେରା ଜଣକ ଅନ୍ୟ ଜଣେ ସହଯୋଗୀଙ୍କ ବାଇକରେ ପଳାଇ ଯାଇଥିଲେ । ତେବେ ଲୁଟେରାମାନେ ପ୍ରାୟ ୨୫ ଲକ୍ଷ ଟଙ୍କାର ଗହଣା ଲୁଟ୍‌ କରିଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଟାଉନ ପୋଲିସ ଆସି ଅଧିକ ତଦନ୍ତ କରୁଛି।