ଚଳନ୍ତା ବସ୍‌କୁ ଅଟକାଇ ଲୁଟ୍‌: କଣ୍ଡକ୍ଟର, ଡ୍ରାଇଭର ସମେତ ଯାତ୍ରୀଙ୍କୁ ଆକ୍ରମଣ

ଡେଲାଙ୍ଗ,୧୮।୯(ଡି.ଏନ.ଏ): ଡେଲାଙ୍ଗ ଥାନା ଅଞ୍ଚଳ ଅରିସଲ ଛକ ଓ ଖେଲାଉର ଛକ ମଧ୍ୟରେ ଥିବା ନିଛାଟିଆ ସ୍ଥାନରେ ଶନିବାର ରାତିରେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌କୁ ଅଟକାଇ ଲୁଟ କରିଥିବା ଅଭିଯୋଗ ହୋଇଛି। କଟକରୁ ଡେଲାଙ୍ଗ ଅଭିମୁଖେ ଫେରୁଥିବା ଏକ ଯାତ୍ରୀବାହୀ ବସ୍‌କୁ ୫ରୁ ୬ଜଣ ଯୁବକ ଅରିସଲ ଛକ ଆଗରେ ହାତ ମାରିଥିଲେ। ବସ୍‌ଟି ବେଗ କମାଇବାରୁ ଯୁବକମାନେ ହଠାତ୍‌ ବସ୍‌ର ଡାହଣ ପଟ ଡୋରରୁ ଏକ କାଠ ପାଳିଆରେ ବାଡ଼େଇ ଭାଙ୍ଗି ଦେଇଥିଲେ। ଫଳରେ ବସଟି ଅଟକି ଯାଇଥିଲା। ଯୁବକ ମାନେ ବସ୍‌ ଭିତରେ ପଶି ଯାତ୍ରୀମାନଙ୍କୁ ଧମକାଇ ଲୁଟ କରିବାକୁ ଉଦ୍ୟମ କରିଥିଲେ। କଣ୍ଡକ୍ଟର ବାରଣ କରିବାରୁ ସେମାନେ ତାଙ୍କୁ ଆକ୍ରମଣ କରି ଟଙ୍କା ଥିବା ବ୍ୟାଗ ଓ ମୋବାଇଲ ଛଡାଇ ନେଇଥିଲେ। ଏପରିକି କେତେଜଣ ଯାତ୍ରୀଙ୍କୁ ମଧ୍ୟ ଆକ୍ରମଣ କରିବା ସହ ଡ୍ରାଇଭରଙ୍କୁ ମାଡ଼ ମାରି ତାଙ୍କ ବେକରେ ଥିବା ରୁପା ଚେନ ନେଇଯାଇଥିଲେ। ଏ ନେଇ ଡ୍ରାଇଭର ପ୍ରସନ୍ନ କୁମାର ବଳିୟାରସିଂ ଥାନାରେ ଅଭିଯୋଗ କରିଛନ୍ତି। ଆହତ ଯାତ୍ରୀମାନେ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି। ଖବରପାଇ ଡେଲାଙ୍ଗ ଥାନା ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ଲୁଟ୍‌ ଯୁବକମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି।