ଖଣି କର୍ମଚାରୀଙ୍କ ଘରେ ପଶି ଦୁର୍ବୃତ୍ତ ଲୁଟିନେଲେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା

ତାଳଚେର,୩୧ା୮(ମନୋଜ ନନ୍ଦ): ଅନୁଗୋଳ ଜିଲା କଲିୟାରୀ ଥାନା ବଲଣ୍ଡା ଫାଣ୍ଡି ଅଞ୍ଚଳରେ ଦୁର୍ବୃତ୍ତମାନେ ବୁଧବାର ରାତିରେ ଜଣେ ଖଣି କର୍ମଚାରୀଙ୍କ ଘରେ ପଶି ୩୫ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର ସୁନା ଓ ରୁପା ଗହଣା ନଗଦ ୪ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇ କଳା କନା ବୁଲାଇ ଦେଇଛନ୍ତି। ପୋଲିସର ଉଦାସୀନତାକୁ ନେଇ ଖଣି କର୍ମଚାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବଲଣ୍ଡାସ୍ଥିତ ହିଙ୍ଗୁଳା କଲୋନୀର ବ୍ଲକ ୫ର ବି-୫୨ନମ୍ବର କ୍ୱାର୍ଟର୍ସରେ ସୁଦର୍ଶନ ନାୟକ ରୁହନ୍ତି। ରାଖୀ ପୂର୍ଣ୍ଣିମା ଯୋଗୁ ବୁଧବାର ସେ ନିଜ ଗ୍ରାମ ନତଡ଼ାକୁ ଯାଇଥିଲେ। ସେଠାରୁ କଣିହାଁର ଜଣେ ବନ୍ଧୁଙ୍କ ଘରକୁ ଯାଇଥିଲେ। ତେବେ ଆଜି ଭୋର ସାଢେ ୪ଟା ବେଳେ ବଲଣ୍ଡାସ୍ଥିତ ନିଜ ବାସଭବନକୁ ଫେରିଥିଲେ। ଦେଖିବା ବେଳକୁ ଘରର କବାଟ ଭଙ୍ଗା ଯାଇଛି। ଘର ଭିତରକୁ ଯାଇ ଆଲମିରାରେ ଥିବା ନିଜର ୬୨ ଭରି ଓଜନର ସୁନା ଗହଣା ଓ ନିଜ ସଡୁଙ୍କର ଥିବା ୯ ଭରି ସୁନା ଗହଣା ଓ ୨୧ ଭରିର ରୁପା ଗହଣା ଏବଂ ନଗଦ ୪ଲକ୍ଷ ୧୦ ହଜାର ଟଙ୍କା ଲୁଟେରାମାନେ ନେଇ ପଳାଇଛନ୍ତି। ଏ ସମ୍ପର୍କରେ ସେ କଲିୟାରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।