ମିଳିଲା ଲୁଟ୍‌ ସୁନାଗହଣା: ଦୁଇ କୋର୍ଟ ଚାଲାଣ

ଆନନ୍ଦପୁର,୧ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ନାରଙ୍ଗପୁର ଛକଠାରୁ କିଛି ଦୂରରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଓ ଟଙ୍କା ଲୁଟ୍‌ ଘଟଣାରେ ଘସିପୁରା ପୋଲିସ ଦୁଇ ଜଣଙ୍କୁ କୋର୍ଟଚାଲାଣ କରିଛି। ନାରଙ୍ଗପୁର ଛକରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଆଧାର କରି ପୋଲିସ କଳିଙ୍ଗନଗରର ବଦ୍ରିନାରାୟଣ ପାତ୍ର ଓ ଯାଜପୁର ରୋଡ୍‌ର ନିଲୁଆ ପାତ୍ରକୁ ଗିରଫ କରିଥିବା ସୂଚନା ମିଳିଛି। ଲୁଟେରାମାନଙ୍କ ଠାରୁ ଦୁଇଟି ବାଇକ୍‌, ଦୁଇଟି ମୋବାଇଲ, ନଗଦ ଅର୍ଥ ଓ ସୁନା ଅଳଙ୍କାର ଜବତ କରାଯାଇଛି। ଏହି ଚୋରି ର଼୍ୟାକେଟ୍‌ରେ କେଉଁମାନେ ସାମିଲ ଅଛନ୍ତି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ଗତ ୨୩.୫.୨୦୨୨ ଅପରାହ୍ନରେ ଘସିପୁରା ଥାନା ନାରଙ୍ଗପୁର ଛକ ନିକଟରୁ ଜଣେ ମହିଳାଙ୍କ ଠାରୁ ସୁନାଚେନ୍‌, ଟଙ୍କା ଓ ମଙ୍ଗଳସୂତ୍ର ଲୁଟିନେଇଥିବା ଅଭିଯୋଗ ହୋଇଥିଲା। ଘସିପୁରା ବ୍ଲକ ବଳରାମପୁର ପଞ୍ଚାୟତ ଝାଡ଼କୁଣ୍ଡି ଗ୍ରାମର ଲିଜା ମହାନ୍ତି ନିଜ ଶାଶୁଘର ବ୍ରାହ୍ମଣୀପାଳ ଅଭିମୁଖେ ଆସୁଥିବା ସମୟରେ ଦୁଇଟି ବାଇକ୍‌ରେ ୫ ଜଣ ଦୁର୍ବୃତ୍ତ ତାଙ୍କ ବେକରୁ ୫ ଭରି ଓଜନର ସୁନାଚେନ୍‌ ଲୁଟି ନେବା ସହିତ ୨୦ ହଜାର ଟଙ୍କା ଝାମ୍ପି ନେଇଥିଲେ। ଏହା ସହିତ ମଙ୍ଗଳସୂତ୍ର ଟାଣି ଛିଡାଇବା ସମୟରେ ଏହାର ଅବଶିଷ୍ଟାଂଶ ଲିଜାଙ୍କ ହାତରେ ରହିଯାଇଥିଲା। ଗୋଟିଏ ବାଇକ୍‌ରେ ତିନିଜଣ ଓ ଅନ୍ୟଟିରେ ଦୁଇ ଜଣ ଆସି ଲିଜା ଗାଡ଼ି ଚଲାଇବା ସମୟରେ ବେକରୁ ସୁନାଚେନ୍‌ ଛିଡ଼ାଇବାକୁ ଉଦ୍ୟମ କରିଥିଲେ। ସୁନାଚେନ ନ ଛିଡ଼ିବାରୁ ଲିଜାଙ୍କୁ ଗାଡିରୁ ଠେଲି ଦେଇଥିଲେ ଏବଂ ଗୁଳି କରିବା ଧମକ ଦେଇ ସୁନାଚେନ୍‌ ଓ ଟଙ୍କା ଲୁଟି ନେଇଥିଲେ ବୋଲି ଲିଜା ପୋଲିସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ଆଜି ଦୁଇ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।