ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଲୁଟ୍‌ ପାଇଁ ଗୁଳିମାଡ଼: ଟଙ୍କା ବଦଳରେ ଖାଲି ବାଗ୍‌ ନେଇ ଚମ୍ପଟ

ଚଣ୍ଡିଖୋଲ, ୧।୩ (ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବୈରୀ ଥାନା ଅଧୀନ ନେଳିଆ ଠାରେ ପେଟ୍ରୋଲ ପମ୍ପର କର୍ମଚାରୀମାନେ ବ୍ୟାଙ୍କରେ ଜମା କରିବାକୁ କାରରେ ଯାଉଥିଲେ। ତେବେ ୩ ଦୁର୍ବୃତ୍ତ ହେଲମେଯ୍‌ ପିନ୍ଧି ବାଇକ୍‌ରେ ସେମାନଙ୍କୁ ପିଛା କରିଥିଲେ। ଛତିଆ ବିଟ୍‌ ହାଉସର ଅନତି ଦୂରରେ ଦୁର୍ବୃତ୍ତମାନେ କାର ଉପରକୁ ଗୁଳି ମାଡ଼ କରିଥିଲେ। ଭୟଭୀତ ଅବସ୍ଥାରେ ସେମାନେ କାର ଅଟକାଇ ଦେଇଥିଲେ। ଦୁର୍ବୃତ୍ତମାନେ କାର୍‌ ଭିତରେ ଥିବା ଏକ ବ୍ୟାଗକୁ ନେଇ ପଳାଇ ଯାଇଥିଲେ। ମାତ୍ର ସେହି ବ୍ୟାଗରେ ଟଙ୍କା ନ ଥିଲା। ଟଙ୍କା ବ୍ୟାଗ୍‌ ଭାବି ଦୁର୍ବୃତ୍ତମାନେ କାଗଜପତ୍ର ଥିବା ବ୍ୟାଗକୁ ନେଇ ପଳାଇ ଯାଇଛନ୍ତି। ତେବେ ଗୁଳିମାଡ଼ରେ ୨ କର୍ମଚାରୀ ଆହତ ହୋଇଥଇଲେ। ଚିକିତ୍ସା ପାଇଁ ଉଭୟଙ୍କୁ ସ୍ଥାନୀୟ ମେଡିକାଲେରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରିନାହିଁ।