ଗୁଡ଼ାରି,୨୭ା୨(ପ୍ରମୋଦ କୁମାର ପତି): ଦୀର୍ଘଦିନର ବ୍ୟବଧାନ ପରେ ଗୁଡ଼ାରି ସହରରେ ଚୋରି ଦେଖିବାକୁ ମିଳିଛି। ସହରର ୯ ନମ୍ବର ଓ୍ବାର୍ଡ ତଥା ଶ୍ରୀରାମ ନଗରରେ ବାସ କରୁଥିବା ଶିକ୍ଷକ ବଂଶୀଧର ଶବରଙ୍କ ଘରୁ ଗୁରୁବାର ରାତିରେ ବଡ଼ଧରଣର ଚୋରି ହୋଇଛି।
ସୂଚନା ମୁତାବକ ଶିକ୍ଷକ ଜଣଙ୍କ ମୁନିଗୁଡ଼ା ବ୍ଲକର ବାଲିଝୋ ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ଘରେ ତାଲା ପଡ଼ିଥିବାର ସୁଯୋଗ ନେଇ ଚୋର ଘରର ମୁଖ୍ୟ କବାଟର ତାଲା ଭାଙ୍ଗି ଘରେ ପଶି ସୁନା, ରୁପା ଓ ନଗଦ ଟଙ୍କା ନେଇଯାଇଥିବା ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ଆଜି ସକାଳେ ଶିକ୍ଷକ ଗୁଡ଼ାରି ଆସି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଗୁଡ଼ାରି ଥାନାରେ ଥାନା କେସ୍ ନମ୍ବର ୨୧/୨୦୨୬ ରୁଜୁ ହୋଇଛି ଏବଂ ତଦନ୍ତକାରୀ ଅଧିକାରୀ ଭାବେ ସବ୍ଇନ୍ସପେକ୍ଟର ସଞ୍ଜୟ କୁମାର ଛତ୍ର ଦାୟିତ୍ୱ ନେଇଛନ୍ତି। ଅନୁସନ୍ଧାନ କାରି କୁକୁର କିଛି ସମୟରେ ଘଟଣାସ୍ଥଳରେ ପହଞ୍ଚିବା ନେଇ ସୂଚନା ମିଳିଛି।
ପ୍ରକାଶ ଥାଉକି, ଚୋରି ହୋଇଥିବା ଘରର ଉପର ମହଲାରେ ଭଡ଼ାରେ ରହୁଥିବା ଜଣେ ଶିକ୍ଷକ ରାତିରେ ଘରେ ଥିଲେ ମଧ୍ୟ ଚୋର ମାନେ ସେହି ଘରର ବାହାର ପଟୁ ତାଲା ପକାଇ ଦେଇଥିଲେ। ଚୋରମାନେ ଘରର କିଛି ଜିନିଷପତ୍ର ନିକଟସ୍ଥ ଏକ ସ୍ଥାନରେ ଫୋଫାଡ଼ି ଦେଇଥିବା ଜଣାପଡ଼ିଛି।

