Categories: ଜାତୀୟ

କୃଷକ ନେତାଙ୍କ ନାଁରେ ଲୁକ୍‌ ଆଉଟ୍‌ ନୋଟିସ

ନୂଆଦିଲ୍ଲୀ,୨୯।୧(ଆଇଏଏନ୍‌ଏସ୍‌): ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡରେ ସମ୍ପୃକ୍ତ କୃଷକ ନେତା, ଯେଉଁମାନଙ୍କ ବିରୋଧରେ ଏତଲା ଦାଏର ହୋଇଥିଲା, ଦିଲ୍ଲୀ ପୋଲିସ ଗୁରୁବାର ସେମାନଙ୍କ ନାଁରେ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛି। ସେମାନେ ଯେପରି ଦେଶ ଛାଡ଼ି ପଳାଇ ନ ଯିବେ, ସେଥିପାଇଁ ସେମାନଙ୍କ ପାସ୍‌ପୋର୍ଟ ସମର୍ପଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ପୋଲିସ କହିଛି। ଟ୍ରାକ୍ଟର ରାଲି ପାଇଁ ରଖାଯାଇଥିବା ସର୍ତ୍ତ ଉଲ୍ଲଂଘନ ଅଭିଯୋଗରେ ରାକେଶ ଟିକାଏତ୍‌, ଦର୍ଶନ ପାଲ୍‌, ଗୁର୍‌ନାମ ସିଂ ଚାନ୍ଦୁନି, ରାଜିନ୍ଦର ସିଂ, ବଲ୍‌ବୀର ସିଂ ରାଜଓ୍ବୋଲ, ବୁଟା ସିଂ ବୁର୍ଜ ଗିଲ୍‌, ଯୋଗେନ୍ଦ୍ର ଯାଦବ, ମେଧା ପାଟେକର, ଅଭିକ୍‌ ସାହା ଏବଂ ଯୋଗୀନ୍ଦର ସିଂ ଉଗ୍ରହଙ୍କ ସମେତ ୩୭ କୃଷକ ନେତାଙ୍କ ବିରୋଧରେ ଏତଲା ଦାଏର ହୋଇଛି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୧୪୭, ୧୪୮ (ଦଙ୍ଗା ସୃଷ୍ଟି କରିବା), ୧୨୦ବି (ଅପରାଧ ଷଡ଼ଯନ୍ତ୍ର) ଏବଂ ୩୦୭ (ହତ୍ୟା ଉଦ୍ୟମ)ରେ ୨୫ରୁ ଊର୍ଦ୍ଧ୍ୱ ମାମଲା ରୁଜୁ ହେବା ସହ ୧୯ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ୫୦ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

Share