Categories: ଜାତୀୟ

ଦୀର୍ଘତମ ହାଇଓ୍ବେ ଟନେଲ ଲୋକାର୍ପିତ: ସେନାର ବୃଦ୍ଧି ପାଇବ ଶକ୍ତି, ଚାଇନାକୁ ଘାରିଲା ଚିନ୍ତା

ରୋହତଙ୍ଗ, ୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳପ୍ରଦେଶର ରୋହତଙ୍ଗଠାରେ ଥିବା ପୃଥିବୀର ଦୀର୍ଘତମ ହାଇଓ୍ବେ ଟନେଲ ଅଟଳ ଟନେଲର ଲୋକାର୍ପଣ ଶନିବାର କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ଅନୁସାରେ ଏହାକୁ ଅଟଳ ରୋହତଙ୍ଗ ଟନେଲ ଭାବେ ନାମକରଣ କରାଯାଇଛି। ଏହି ଅବସରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଟନେଲ ଦ୍ୱାରା ଏଲ୍‌ଏସିରେ ଭାରତୀୟ ସେନାଙ୍କ ଶକ୍ତିି ଯଥେଷ୍ଟ ବୃଦ୍ଧି ପାଇବ। ଲଦାଖରେ ମୁତୟନ ଥିବା ଯବାନଙ୍କ ପାଖରେ ଏହି ଟନେଲ ଦେଇ ଆବଶ୍ୟକ ସାମରିକ ସରଞ୍ଜାମ ଏବଂ ଖାଦ୍ୟ ପଦାର୍ଥ ସହଜରେ ଏବଂ ଶୀଘ୍ର ପହଞ୍ଚି ପାରିବ। ଏହି ଟନେଲ ନେଇ ଚାଇନାକୁ ଚିନ୍ତା ଘାରିଛି। ପୂର୍ବ ଲଦାଖରେ ଚାଇନା ସୈନ୍ୟ ତୁଳନାରେ ଭାରତୀୟ ସେନା ଅଧିକ ଶକ୍ତିଶାଳୀ ସାବ୍ୟସ୍ତ୍ୟ ହେବ ବୋଲି କୁହାଯାଉଛି। ସମୁଦ୍ର ପତ୍ତନଠାରୁ ୧୦ ହଜାର ୧୭୧ ଫୁଟ ଉଚ୍ଚରେ ୯.୦୨ କିଲୋମିଟର ଲମ୍ବ ଏହି ଟନେଲ ଲଦାଖକୁ ଦେଶର ଅନ୍ୟ ଅଞ୍ଚଳ ସହିତ ବର୍ଷ ସାରା ଯୋଡ଼ିବାକୁ ସକ୍ଷମ ହେବ। ପୂର୍ବରୁ ଶୀତଦିନେ ବରଫାପାତଯୋଗୁ ଲାହୋଲ ସ୍ଫିତି ଘାଟି ମଧ୍ୟରେ ବର୍ଷରେ ୬ ମାସ ଯୋଗାଯୋଗ ସମ୍ଭବ ହୋଇ ପାରୁ ନ ଥିଲା। ତେବେ ଅଟଳ ଟନେଲ ଦ୍ୱାରା ଏହି ସମସ୍ୟା ଏବେ ଦୂର ହୋଇ ପାରିବ। ଏହି ଟନେଲ୍‌ ଦ୍ୱାରା ମନାଲିଠାରୁ ଲେହ ମଧ୍ୟରେ ଦୂରତା ୪୬ କିଲୋମିଟର କମିଯିବ। ଏହା ସହିତ ସମୟ ମଧ୍ୟ ୪ରୁ୫ ଘଣ୍ଟା କମିଯିବ। ଟନେଲର ନିର୍ମାଣ କାର୍ଯ୍ୟ ୧୦ ବର୍ଷ ତଳେ ୨୦୧୦ ଜୁନ୍‌ ୨୮ରେ ଆରମ୍ଭ ହୋଇଥିଲା। ଟନେଲରେ ଯେକୌଣସି ଯାନ ସର୍ବାଧିକ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ଯାତ୍ରା କରିପାରିବ। ଏକା ସାଙ୍ଗରେ ଟନେଲରେ ୩ ହଜାର କାର୍‌ ଏବଂ ୧୫୦୦ ଟ୍ରକ୍‌ ଯିବା ଆସିବା କରିପାରିବେ। ଏହି ଟନେଲ ନିର୍ମାଣରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି।

Share