କେସିଙ୍ଗା,୨୭।୧୧(ତୁମେଶ୍ୱର ସାହୁ): ଦୀର୍ଘଦିନର ଦାବି ପୂରଣ ହୋଇଛି। କାଦୁଆ ରାସ୍ତାରେ ଯାତାୟାତର ସମସ୍ୟା ଭୋଗୁଥିବା କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତର ଧରଣୀ ପଡ଼ାବାସୀଙ୍କ ପାଇଁ ଏବେ ନିର୍ମାଣ ହେଉଛି କଂକ୍ରିଟ ରାସ୍ତା। ଏଥିପାଇଁ ପଡ଼ାବାସୀ ବିଡିଓ ଏବଂ ଏଇଇ ସୁବାସ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଧରଣୀପଡ଼ାକୁ କଂକ୍ରିଟ ରାସ୍ତା ନଥିବାରୁ ଦୀର୍ଘଦିନ ଧରି ପଡ଼ାବାସୀ କାଦୁଆ ରାସ୍ତାରେ ଯାତାୟାତ କରୁଥିଲେ। ବିଶେଷକରି ବର୍ଷାଦିନେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ପଡ଼ାବାସୀ ଅନେକ ଥର ବ୍ଲକ କାର୍ଯ୍ୟାଳୟରେ ରାସ୍ତା ନିର୍ମାଣ ନିମନ୍ତେ ଦାବି ଜଣାଇଥିଲେ।
ପଡ଼ାବାସୀଙ୍କ ଦାବିକୁ ଗୁରୁତ୍ୱ ଦେଇ କେସିଙ୍ଗା ବିଡିଓ ୫ମ ଏସଏଫ୍ସି ଯୋଜନାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାସ୍ତା ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରିଥିଲେ। ଶିରୋଲ ମୁଖ୍ୟ ଆର୍ଡି ରାସ୍ତାଠାରୁ ଧରଣୀପଡ଼ାକୁ ସଂଯୋଗ କରୁଥିବା ଏହି କଂକ୍ରିଟ ରାସ୍ତାର ନିର୍ମାଣ କାର୍ଯ୍ୟ ଗତ ତିନିଦିନ ହେଲା ଚାଲୁ ରହିଛି।
ରାସ୍ତା ନିର୍ମାଣ ହେବା ଫଳରେ ବୟସ୍କ ବ୍ୟକ୍ତି, ଶିଶୁଙ୍କ ସମେତ ପଡ଼ାର ସମସ୍ତ ଲୋକଙ୍କ ଯାତାୟାତ ସୁଗମ ହୋଇପାରିବ ବୋଲି ପଡ଼ାବାସୀ ଆଶା ପ୍ରକାଶ କରିଛନ୍ତି। ଦୀର୍ଘଦିନର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇଥିବାରୁ ବିଡିଓ ଓ ଏଇଇ ସୁବାସ ନାୟକଙ୍କୁ ପଡ଼ାବାସୀ ଧନ୍ୟବାଦ ଜଣାଇଛନ୍ତି।