ରୋଗୀଙ୍କ ଲମ୍ବା ଧାଡ଼ି, ଡାକ୍ତରଙ୍କ ଚେୟାର ଖାଲି

ନୂଆଗାଁ ,୫।୫(ଡି.ଏନ.ଏ.):ନୟାଗଡ଼ ଜିଲା ନୂଆଗାଁ  ବ୍ଲକ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ରୋଗୀଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ ଡାକ୍ତରଙ୍କ ଚେୟାର ଖାଲି ପଡ଼ିଥିବା ଅଭିଯୋଗ ହୋଇଛି।
ସରକାର ଡାକ୍ତରଖାନାରେ ମାଗଣାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ବ୍ୟବସ୍ଥା କୁହାଯାଉବେଳେ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଥିରେ ବ୍ୟତିକ୍ରମ ଘଟୁଥିବା ନେଇ ଅଭିଯୋଗ ହେଉଛି। ସକାଳ ୮ଟାରେ ଆଉଟ୍‌ ଡୋର୍‌ରେ ଡାକ୍ତର ରୋଗୀ ଦେଖିବାର ବ୍ୟବସ୍ଥା ରହିଛି। କିନ୍ତୁ ବହୁ ବିଳମ୍ବରେ ଡାକ୍ତର ଆସୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ନୂଆଗାଁ  ବ୍ଲକର କୌଣସି ସ୍ଥାନରେ ଦୁର୍ଘଟଣା ଘଟିଲେ ଅଗ୍ନିଶମ ବାହିନୀ ଗାଡ଼ି କିମ୍ବା ଅନ୍ୟ କୌଣସି ରୋଗୀକୁ ୧୦୮ ଆମ୍ବୁଲାନ୍ସ ପ୍ରଥମେ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପରେ ଆବଶ୍ୟକ ସ୍ଥଳେ ସେଠାରୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। କିନ୍ତୁ ଆମ୍ବୁଲାନ୍ସ ରୋଗୀଙ୍କୁ ନେଇ ଯିବା ସମୟରେ ଡାକ୍ତରଙ୍କ ଅନୁପସ୍ଥିତି ରୋଗୀଙ୍କ ସମ୍ପର୍କୀୟଙ୍କୁ ବିଚଳିତ କରିଛି। ସିଙ୍ଗାରପଲି ପଞ୍ଚାୟତ ଓଡ଼କପା ଗ୍ରାମର ମୀରା ଖିଲାର ରୋଗରେ ଛଟପଟ ହେବାରୁ ସମ୍ପର୍କୀୟମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ସକାଳ ୮ଟାରେ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେତେବେଳକୁ ଅନେକ ରୋଗୀ ଡାକ୍ତରଙ୍କୁ ଅପେକ୍ଷା କରିଥିଲେ ମଧ୍ୟ ଡାକ୍ତର ଆସି ନ ଥିଲେ। ଏ ବାବଦରେ ଫୋନ ଯୋଗେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଜଣାଯାଇଥିଲା। ପରେ ଡାକ୍ତର ଆସି ମୀରାଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ଏ ସମ୍ପର୍କରେ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ସତୀଶ ନିବେଦନଙ୍କୁ ପଚାରିବାରେ ଡାକ୍ତର ଶୌଚାଳୟ ଯାଇଥିଲେ। ତେଣୁ ସିକ୍ୟୁରିଟିକୁ କହି ମ୍ୟାନେଜ କରିଛି ବୋଲି ସେ କହିଥିଲେ।