ନୂଆଦିଲ୍ଲୀ,୧୮ା୫: ଚଳିତ ଆଇପିଏଲ୍ରେ ରବିବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଓ ଗୁଜରାଟ ଜାଏଣ୍ଟ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଲୋକେଶ ରାହୁଲଙ୍କ ଅପରାଜିତ ଶତକ ବଳରେ ପ୍ରତିପକ୍ଷ ଗୁଜରାଟ ସମ୍ମୁଖରେ ୨୦୦ ରନର ଟାଗେର୍ଟ ଧାର୍ଯ୍ୟ କରିଛି। ଏହି ମ୍ୟାଚ୍ ଜରିଆରେ ରାହୁଲ ଟି୨୦ କ୍ୟାରିୟରରେ ୮ ହଜାର ରନ ପୂରଣ କରିଛନ୍ତି।
ଅଧିନାୟକ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଖୁବ ଶସ୍ତାରେ ଫାଫ ଡୁ’ ପ୍ଲେସି(୫)ଙ୍କ ଉଇକେଟ ହରାଇଥିଲା। ଅନ୍ୟତମ ଓପନର ଲୋକେଶ ରାହୁଲ ଓ ଅଭିଷେକ ପୋରେଲ ଦ୍ୱିତୀୟ ଉଇକେଟରେ ଦ୍ରୁତ ୯୦ ରନ ଯୋଡ଼ିଥିଲେ। ଆଟାକିଂ ବ୍ୟାଟିଂ କରୁଥିବା ପୋରେଲ ୧୯ ବଲରେ ୩୦ (୧ ଚୌକା ଓ ୩ ଛକା) ରନ କରି ଆଉଟ୍ ହୋଇଥିଲେ। ଏହାପରେ ଅଧିନାୟକ ଅକ୍ଷର ପଟେଲ (୨୫)ଙ୍କ ସହ ମିଶି ରାହୁଲ ତୃତୀୟ ଉଇକଟରେ ୪୫ ରନ ଯୋଡ଼ିଥିଲେ। ଶେଷ ଆଡ଼କୁ ଟ୍ରିଷ୍ଟାନ ଷ୍ଟବ୍ସ ୧୦ ବଲରେ ୨୧ (୨ ଛକା) ରନ କରିଥିଲେ। ରାହୁଲ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୬୫ ବଲରେ ୧୧୨ ରନର ଶତକୀୟ ପାଳି ଖେଳିଥିଲେ। ଏହା ତାଙ୍କ ଆଇପିଏଲ୍ କ୍ୟାରିୟରର ପଞ୍ଚମ ଶତକ ଥିଲା। ତାଙ୍କ ଇନିଂସରେ ୧୪ ଚୌକା ଓ ୪ ଛକା ସାମିଲ ଥିଲା। ଫଳରେ ଦିଲ୍ଲୀ ୨୦ ଓଭରରେ ୩ ଉଇକେଟ ହରାଇ ୧୯୯ ରନ କରିବାକୁ ସକ୍ଷମ ହୋଇଛି। ଗୁଜରାଟ ପକ୍ଷରୁ ଆର୍ଶଦ ଖାନ, ଆର ସାଇ କିଶୋର ଓ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


