Categories: ଜାତୀୟ

ଲୋକ ସଭା, ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ଆଲୋଚନା ହେବ

ହାଇଦ୍ରାବାଦ,୧୬ା୯: ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ନବଗଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ର ପ୍ରଥମ ବୈଠକ ଶନିବାର ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ବିଚାର ବିମର୍ଶ କରିବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ଏହା ବ୍ୟତୀତ କନ୍ୟାକୁମାରୀରୁ କଶ୍ମୀର ଭାରତ ଯୋଡ଼ୋ ଯାତ୍ରାର ସଫଳତା ପରେ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା (ଭାରତ ଯୋଡ଼ୋ ଯାତ୍ରା ୨.୦) ଆରମ୍ଭ କରିବା ନେଇ କମିଟି ଆଲୋଚନା କରିପାରେ ବୋଲି କୁହାଯାଉଛି। ଖାର୍ଗେଙ୍କ ଅଧ୍ୟକ୍ଷତାରେ ଦଳର ଶୀର୍ଷ ନୀତି ନିର୍ଦ୍ଧାରକ ସଂସ୍ଥା ସିଡବ୍ଲ୍ୟୁସିର ପୁନର୍ଗଠନ କରାଯାଇଥିଲା। ଏଥିରେ ୩୯ ନିୟମିତ ସଦସ୍ୟ ରହିଛନ୍ତି। ଦୁଇଦିନ ଚାଲିବାକୁ ଥିବା ଏହି ବୈଠକର ଦ୍ୱିତୀୟ ଦିନରେ ସବୁ ରାଜ୍ୟର କଂଗ୍ରେସ ସଭାପତି ଏବଂ ବିଧାୟକ ଦଳ ନେତା ଯୋଗଦେବେ। ୧୭ ସନ୍ଧ୍ୟାରେ ତେଲଙ୍ଗାନା ଜାତୀୟ ସଂହତି ଦିବସ ପାଳନ ଅବସରରେ କଂଗ୍ରେସ ହାଇଦ୍ରାବାଦରେ ଏକ ମେଗା ରାଲିର ଆୟୋଜନ କରୁଛି। ସେଠାରେ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଦଳ ପକ୍ଷରୁ ୫ ଗ୍ୟାରେଣ୍ଟି ଘୋଷଣା କରାଯିବ। ନିର୍ବାଚନ ହେବାକୁ ଥିବା ତେଲଙ୍ଗାନାରେ ଦଳର ପ୍ରଚାରକୁ ବଢ଼ାଇବା ଉଦ୍ଦେଶ୍ୟରେ ହାଇଦ୍ରାବାଦରେ ସିଡବ୍ଲ୍ୟୁସିର ପ୍ରଥମ ବୈଠକ ବସୁଛି। ନିର୍ବାଚନରେ ବିଆର୍‌ଏସ୍‌ ସରକାରକୁ କ୍ଷମତାରୁ ହଟାଇବା ଲାଗି ବାର୍ତ୍ତା ଦିଆଯିବ। ସିଡବ୍ଲ୍ୟୁସି ବୈଠକରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ସମେତ ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ପରାସ୍ତ କରିବା ନିମନ୍ତେ ରଣକୌଶଳ ସ୍ଥିର କରାଯିବ ବୋଲି ଜଣାପଡ଼ିଛି।

Share