ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ ଏହି ସଫଳତା ପରେ ଲୋଇସିଂହା ଅଞ୍ଚଳ ସମେତ ସମଗ୍ର ବଲାଙ୍ଗୀର ଜିଲାରେ ଖୁସିର ମାହୋଲ ଦେଖାଦେଇଛି।
ଗତ ଏପ୍ରିଲ ୧୨ ତାରିଖରେ ଉତ୍ତରାଖଣ୍ଡର ରୁର୍କୀସ୍ଥିତ ସେଫିଲ୍ଡ ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ମେଗା ଅଡିସନ ଅନୁଷ୍ଠିତ ହୋଇଥିଲା। ଦେଶର ବିଭିନ୍ନ ପ୍ରାନ୍ତରୁ ଅଭିନୟ, ମଡେଲିଂ, ନୃତ୍ୟ ଓ ରାପିଂ ଭଳି ବିଭିନ୍ନ ପ୍ରତିଭା ନେଇ ଶହ ଶହ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଏହି କଠିନ ପ୍ରତିଯୋଗିତାରେ ନିଜ ପ୍ରତିଭା ବଳରେ ଇଫ୍ରାତା ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ପରେ ସେପ୍ଟେମ୍ବର ୨୮ ତାରିଖରେ ରୁର୍କୀସ୍ଥିତ ହୋଟେଲ ଗୋଲ୍ଡେନ ଲିଫରେ ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଥିଲା। ଚୂଡ଼ାନ୍ତ ପର୍ଯ୍ୟାୟରେ ନିଜର ଦକ୍ଷତା ଓ ପ୍ରତିଭାର ଚମତ୍କାର ପ୍ରଦର୍ଶନ କରି ଇଫ୍ରାତା ଜୁନିୟର କାଟେଗୋରିରେ ଚାମ୍ପିୟନ ହୋଇଛନ୍ତି।

ସୂଚନା ଅନୁସାରେ, ଏହି ରିଆଲିଟି ଶୋ’ ଆଗାମୀ ଦିନରେ &TV ଓ 9xM ଚ୍ୟାନେଲ୍‌ଷର ପ୍ରସାରିତ ହେବ। ନିଜର ଏହି ସଫଳତାର ଶ୍ରେୟ ଇଫ୍ରାତା ନିଜର କଠିନ ପରିଶ୍ରମ ସହ ପିତାମାତା ଓ ଗୁରୁଜନଙ୍କ ଆଶୀର୍ବାଦକୁ ଦେଇଛନ୍ତି। ଜାତୀୟସ୍ତରରେ ଚାମ୍ପିୟନ ହୋଇ ଲୋଇସିଂହାର ନାଁକୁ ଗୌରବାନ୍ବିତ କରିଥିବା ଇଫ୍ରାତାଙ୍କ ସଫଳତାରେ ସ୍ଥାନୀୟ ଅଞ୍ଚଳବାସୀ ଓ ବଲାଙ୍ଗୀର ଜିଲାବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

 

Share