ଭଡ଼ା ଘରୁ ମିଳିଲା ଲୋକୋ ପାଇଲଟଙ୍କ ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ…

ଟିଟିଲାଗଡ଼/ବଲାଙ୍ଗୀର,୨୬।୮(ସଞ୍ଜୟ ବେହେରା/ସୁନିଲ କୁମାର ମହାନ୍ତି): ଟିଟିଲାଗଡ଼ ସହରର ମାଲଗୋଦାମ ପଡା ସ୍ଥିତ ଏକ ଭଡା ଘର ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଟିଟିଲାଗଡ଼ ରେଳ ବିଭାଗର ଚିପ ଲୋକୋ ପାଇଲଟ ପ୍ରଭାତ କୁମାର ମଜୁମଦାର ବୋଲି ସୂଚନା ରହିଛି । ବୁଧବାର ଘର ଭିତରୁ ଟିଟିଲାଗଡ଼ ପୋଲିସ ମୃତଦେହ ଉଦ୍ଧାର କରିଛି ।

ପଙ୍ଖାରେ ଏକ କପଡା ବେଡ଼ସିଟ୍ସ ବନ୍ଧାଯାଇଥିବା ବେଳେ ଉକ୍ତ କପଡା ବେକରେ ଲାଗି ଝୁଲି ରହିଥିବା ଦେଖାଯାଇଥିଲା । ଘରର ମୁଖ୍ୟ ଦ୍ୱାର ସେମିତି ଖୋଲା ରହିଥିବା ଯୋଗୁଁ ପାଇଲଟଙ୍କ ମୃତ୍ୟୁକୁ ନେଇ ନାନା ପ୍ରକାର ଚର୍ଚ୍ଚା ଲାଗି ରହିଛି । ଟିଟିଲାଗଡ଼ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି । ପ୍ରଭାତ କୁମାର ମଜୁମଦାରଙ୍କ ଚାକିରି କାଳ ଆହୁରି ଚାରି ବର୍ଷ ରହିଥିବା ବେଳେ ସେ ଟିଟିଲାଗଡ଼ ସହରର ମାଳଗୋଦାମ ପଡାରେ ଉକ୍ତ ଭଡା ଘରେ ଦୀର୍ଘ ଆଠ ବର୍ଷ ଧରି ରହି ଆସୁଥିଲେ ।

ତାଙ୍କ ସ୍ତ୍ରୀ ଏବଂ ଝିଅ ପଶ୍ଚିମବଙ୍ଗର କୋଲକାତା ସହରରେ ରହୁଥିବା ବେଳେ ଝିଅ ସେଠାରେ ରହି ପାଠ ପଢୁଛନ୍ତି । ଲୋକୋ ପାଇଲଟ ଏକୁଟିଆ ରହୁଥିବା ବେଳେ କିଛି ମହିଳା କର୍ମଚାରୀ ତାଙ୍କୁ ଭେଟିବାକୁ ଆସିଥିବା ନେଇ ଚର୍ଚ୍ଚା ହେଉଛି । ଗତ କିଛି ଦିନ ଧରି ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବା ଯୋଗୁଁ ସେ ଛୁଟିରେ ରହିଥିବା ବେଳେ ବୁଧବାର ଅପରାହ୍ନ ସମୟରେ ଉକ୍ତ ଭଡା ଘର ଭିତରେ ଝୁଲନ୍ତା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି ।

ଏହା ଏକ ଆତ୍ମହତ୍ୟା ନା ହତ୍ୟା ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ପାରିପାର୍ଶ୍ଵିକ ଅବସ୍ଥାକୁ ଦେଖିଲେ ଆତ୍ମହତ୍ୟାର ସନ୍ଦେହ ସୃଷ୍ଟି ହେଉଛି । ତେବେ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା କର୍ମଚାରୀ ଲୋକୋ ପାଇଲଟ କଣ ପାଇଁ ଆତ୍ମହତ୍ୟା କରିବେ ବୋଲି ସାଥି କର୍ମଚାରୀ ମାନେ କହିଛନ୍ତି । ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ଆସିବା ପରେ ତଦନ୍ତ କରାଯିବ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଟିଟିଲାଗଡ଼ ପୋଲିସ କହିଛି ।

 

Dharitri – Odisha’s No.1 Odia Daily

Share