ମହାବିରୋଡ ପ୍ରାଣୀ ଚିକିତ୍ସାଳୟରେ ତାଲା

କାମାକ୍ଷାନଗର,୨୪।୯(ଅମଜାଦ ଖାନ୍‌): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡରେ ଥିବା ପ୍ରାଣୀ ଚିକିତ୍ସାଳୟ ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ହୋଇପଡ଼ିଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚିକିତ୍ସାଳୟ କାନ୍ଥର ପ୍ଲାଷ୍ଟର ଅନେକ ସ୍ଥାନରେ ଫାଟି ଆଁ କରିଥିବାବେଳେ ଚତୁଃପାର୍ଶ୍ୱ ଅନାବନା ଘାସ ପରିପୂର୍ଣ୍ଣ ହୋଇରହିଛି। ଆବଶ୍ୟକ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏପରି ସମସ୍ୟା ଦେଖାଦେଇଛି। ସେହିପରି ଏଠାରେ ନିଯୁକ୍ତି ପାଇଥିବା ଡାକ୍ତର ଓ କର୍ମଚାରୀ ଦୀର୍ଘଦିନ ହେବ ଆସୁ ନ ଥିବାରୁ ଚିକିତ୍ସାଳୟରେ ତାଲା ଝୁଲୁଥିବା ଅଞ୍ଚଳବାସୀ ଅଭିଯୋଗ କରୁଛନ୍ତି। ଏହି ପ୍ରାଣୀ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ମହାବିରରୋଡ ସମେତ ଚାନ୍ଦପୁର, କୁଟୁରିଆ, ଝିଲ୍ଲୀ, ବାମ, ଗଡ଼ପଳାଶୁଣି, ଦଶିପୁର, ପଙ୍ଗାତୀରା, ବିରିବୋଲେଇ, ଘାଗରମୁଣ୍ଡା, ଗାତରେଇ ଆଦି ପଞ୍ଚାୟତର ଗୋରୁ, ଛେଳି ଆଦି ପାଳନ କରିଥିବା ଚାଷୀମାନେ ତଥା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଘଟଣାରୁ ଜଣାପଡିଛି, ମହାବିରୋଡ୍‌ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ରହିଛି ୩ଟି ପ୍ରାଣୀଧନ ସହାୟକ କେନ୍ଦ୍ର। ସେଥିମଧ୍ୟରୁ ୨ଟି ପ୍ରାଣୀଧନ ସହାୟକ କେନ୍ଦ୍ରରେ କର୍ମଚାରୀ ରହିଥିବାବେଳେ ଅନ୍ୟଟିରେ କର୍ମଚାରୀ ନାହାନ୍ତି। ମହାବିରୋଡରେ ଥିବା ପ୍ରାଣୀ ଚିକିତ୍ସାଳୟ ଉପରେ ୧୦ ପଞ୍ଚାୟତର ବାସିନ୍ଦା ନିର୍ଭର କରିଥାନ୍ତି। ଅନେକ ଲୋକ ଜୀବିକା ନିର୍ବାହ ପାଇଁ ଗୋରୁ ଓ ଛେଳି ଆଦି ପାଳନ କରିଛନ୍ତି। ବର୍ଷା ଲାଗି ରହିଥିବାରୁ ଏହି ଗୃହପାଳିତ ପ୍ରାଣୀମାନଙ୍କଠାରେ ଅନେକ ସଂକ୍ରାମକ ରୋଗର ଲକ୍ଷଣ ଦେଖିବାକୁ ମିଳୁଛି। ହେଲେ ଦୀର୍ଘଦିନ ହେବ ଏହି ପ୍ରାଣୀ ଚିକିତ୍ସାଳୟରେ ତାଲା ଝୁଲୁଥିବାରୁ ଦୂରଦୂରାନ୍ତରୁ ଗୋରୁଙ୍କୁ ଧରି ଚିକିତ୍ସା ପାଇଁ ଆସୁଥିବା ଲୋକେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି। ଅନେକ ସମୟରେ ଆବଶ୍ୟକ ଚିକିତ୍ସା ଅଭାବରୁ ଗୃହପାଳିତ ପ୍ରାଣୀ ମଧ୍ୟ ମୃତ୍ୟୁମୁଖରେ ପଡୁଛନ୍ତି। ତୁରନ୍ତ ପ୍ରାଶସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଠାରେ ନିଯୁକ୍ତି ପାଇଥିବା ପ୍ରାଣୀ ଚିକିତ୍ସକ ଡାକ୍ତର ସୁନୀତା ମେହରଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ। ଏ ନେଇ ବିଡିଓ ଯଶୋବନ୍ତ ଦେହୁରୀ କହିଛନ୍ତି, ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ।