ଖୋଲିଲା ଗାଡ଼ି ପାର୍କିଂ ଗେଟ୍‌ରୁ ତାଲା

ମାଲକାନଗିରି, ୩୧ା୧(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାର ସୁଭାଷ ବୋଷ ଛକ ନିକଟରେ ପୌର ପରିଷଦ ପକ୍ଷରୁ ଜନସାଧାରଣଙ୍କ ସୁବିଧା ପାଇଁ ଗାଡ଼ି ପାର୍କିଂ ଲାଗି ବ୍ୟବସ୍ଥା କରାଯାଇଥିଲା। ଏହାର ନିର୍ମାଣ କାର୍ଯ୍ୟ ସରିବା ସହ ଉଦ୍‌ଘାଟନ ମଧ୍ୟ ହୋଇସାରିଥିଲା। ଉଦ୍‌ଘାଟନ ପରେ ଏହା ବ୍ୟବହାର ଲାଗି ଜନସାଧାରଣଙ୍କ ପାଇଁ ଖୋଲା ଯାଇ ନ ଥିଲା। ଏହାକୁ ବିରୋଧ କରି ଜିଲା କଂଗ୍ରେସ ପକ୍ଷରୁ ରବିବାର ଚିଟି ବାବୁଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଗାମୀ ୨୪ ଘଣ୍ଟା ଭିତରେ ପାର୍କିଂ ସ୍ଥାନରେ ପଡିଥିବା ତାଲା ଜନସାଧାରଣଙ୍କ ପାଇଁ ଖୋଲା ନ ଗଲେ, ତାଲା ଭାଙ୍ଗି ପାର୍କିଂ ସ୍ଥଳ ଭିତରକୁ ପଶିବେ ବୋଲି କଂଗ୍ରେସ ଚେତାବନୀ ଦେଇଥିଲା। ଏହାକୁ ଗୁରୁତର ସହ ନେଇ ପୌର ପରିଷଦ ଚେତାବନୀକୁ ୨୪ ଘଣ୍ଟା ନ ପୂରୁଣୁ ସୋମବାର ଗାଡ଼ି ପାର୍କିଂ ସ୍ଥାନର ତାଲା ସର୍ବସାଧାରଣଙ୍କ ପାଇଁ ଖୋଲି ଦେଇଛି। ଜିଲା କଂଗ୍ରେସ କର୍ମକର୍ତ୍ତା ଏହି ସ୍ଥାନ ପରିଦର୍ଶନ କରି ପୌରାଧ୍ୟକ୍ଷଙ୍କ ତତ୍ପରତା ପାଇଁ ଖୁସି ପ୍ରକାଶ କରିଛନ୍ତି। ପରିଦର୍ଶନ ବେଳେ ଦଳର ବରିଷ୍ଠ ନେତା ମାଲା ମାଢି, ଜି. ଶ୍ରୀନିବାସ ରାଓ, କେଶୁ ରାଓ, ପଦ୍ମ ପାଙ୍ଗିଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।