ଲକ୍‌ଡାଉନ୍‌ ଉଦ୍ଦେଶ୍ୟ ହୋଇନି ସଫଳ: ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା !

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କେତେକ ସଂସ୍ଥା ଭାରତରେ କରୋନା ମହାମାରୀ ବର୍ତ୍ତମାନ ସୁଦ୍ଧା ଶୀର୍ଷରେ ପହଞ୍ଚି ନ ଥିବା ସତର୍କ ସୂଚନା ଜାରି କରିଛନ୍ତି। ଏପରିସ୍ଥଳେ ଲକ୍‌ଡାଉନ୍‌ର ଉଦ୍ଦେଶ୍ୟ ସଫଳ ହୋଇ ନ ଥିବା ବିଶେଷଜ୍ଞ ମତପୋଷଣ କରିଛନ୍ତି। ପ୍ରତି ଅନ୍‌ଲକ୍‌ ପର୍ଯ୍ୟାୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ହାରରେ ବଢ଼ିଥିବା ଜେଏନ୍‌ୟୁର ସେଣ୍ଟର ଅଫ୍‌୍‌ ସୋସିଆଲ୍‌ ମେଡ଼ସିନ୍‌ ଆଣ୍ଡ କମ୍ୟୁନିଟି ହେଲଥ୍‌ର ଅଧ୍ୟକ୍ଷା ସଂଘମିତ୍ରା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ଅସଫଳ ରହିଥିବା ସେ ମତପୋଷଣ କରିଛନ୍ତି। ପ୍ରଥମେ ହଟସ୍ପଟ୍‌ରେ କଡ଼ା କଟକଣା ଜାରି କରାଯାଇଥିଲେ ଏହାର ସୁଫଳ ମିଳିପାରିଥାନ୍ତା ବୋଲି ସେ କହିଛନ୍ତି। ସଂକ୍ରମଣ ବଢୁଥିବାବେଳେ ଦେଶର ଆର୍ଥିକ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଅନ୍‌ଲକ୍‌ ବ୍ୟତିତ କୌଣସି ବିକଳ୍ପ ମଧ୍ୟ ନ ଥିଲା। ଲକ୍‌ଡାଉନ୍‌ ଏବଂ ଅନ୍‌ଲକ୍‌ ଧୀରେଧୀରେ କରାଯିବାର ଆବଶ୍ୟକତା ଥିଲା ବୋଲି ପବ୍ଲିକ୍‌ ହେଲଥ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆର ଡାକ୍ତର ଗିରିଧର ଆର୍‌. ବାବୁ ପ୍ରକାଶ କରିଛନ୍ତି। ଭାରତରେ ଆମେରିକା ଏବଂ ବ୍ରାଜିଲ୍‌ ତୁଳନାରେ କମ ମୃତ୍ୟୁ ଘଟିଥିବା ସେ କହିଛନ୍ତି।

Share