ଚୋରା ମଦ ବେପାରୀଙ୍କୁ ସୁହାଉଛି ଲକ୍‌ଡାଉନ

ବୋଲଗଡ଼/ନିରାକାରପୁର/ବାଣପୁର,୯ା୬(ଡି.ଏନ୍‌.ଏ.):କରୋନା ପାଇଁ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଏହି ସମୟରେ ବୋଲଗଡ଼ ଅଞ୍ଚଳରେ ଚୋରା ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି। ବୋଲଗଡ଼ ପୋଲିସ ମଙ୍ଗଳବାର ବୋଲଗଡ଼ ଗ୍ରାମ ତୃତୀୟାପଡା ସାହିରେ ଚଢ଼ାଉ କରି ୨୨ ପେଟି ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ତୃତୀୟାପଡାର ସନ୍ତୋଷ ଜେନା(୪୦)। ବିଭିନ୍ନ କମ୍ପାନୀର ୧୩୯.୫ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ତଦନ୍ତ ଅଧିକାରୀ ଏସ୍‌ଆଇ ଚନ୍ଦନ ସାହୁ କହିଛନ୍ତି। ଏନେଇ ଥାନାରେ ମାମଲା (ନଂ.୮୮/୨୧) ରୁଜୁ ହୋଇଛି। ସୂଚନା ମୁତାବକ, ତୃତୀୟାପଡ଼ା ଅଞ୍ଚଳରେ ଚୋରା ମଦ ବ୍ୟବସାୟ ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏସ୍‌ଆଇ ସାହୁ ସାଦା ପୋଷାକରେ ତୃତୀୟାପଡାରେ ପହଞ୍ଚତ୍ ଏକ ଦୋକାନୀଙ୍କୁ ମଦ ଦେବାକୁ କହିଥିଲେ। ଦୋକାନୀ ମଦ ଦେବା ପରେ ଏସ୍‌ଆଇ ସାହୁ ଓ ତାଙ୍କ ସହ ଯାଇଥିବା ପୋଲିସ କର୍ମଚାରୀମାନେ ଜେନାଙ୍କୁ କାବୁ କରିନେଇଥିଲେ। ଦୋକାନରେ ଅଳ୍ପ ମଦ ବୋତଲ ଜବତ କରିବା ପରେ ନିକଟସ୍ଥ ଏକ ଘରୁ ବିପୁଳ ମଦ ଜବତ କରିଥିଲେ।
ଜଙ୍କିଆ ଥାନା ଓ ସିକୋ ଫାଣ୍ଡି ପୋଲିସ ଏକଡାଳିଆ ଜଙ୍ଗଲରେ ଚଢ଼ାଉ କରି ୩ହଜାର ଲିଟର ପୋଚ, ୧୬୦ଲିଟର ରନ୍ଧାମଦ ସମେତ ଗୋଟିଏ ଜେନେରେଟର, ୩ ଗ୍ୟାସ୍‌ ଟାଙ୍କି, ପାଣି ମୋଟର ପମ୍ପ,୧୮ ଡ୍ରମ, ୩ ବଡହଣ୍ଡା ଜବତ କରିଛି। ଚଢ଼ାଉ ପୂର୍ବରୁ ସେଠାରୁ ଅଭିଯୁକ୍ତମାନେ ଖସିଯାଇଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୧୧୭/୨୧) ରୁଜୁ କରି ତଦନ୍ତ ଚଳାଇଛି। ସେହିପରି ବାଣପୁର ବ୍ଲକ ଦାମିଆ ବରବରା ପଞ୍ଚାୟତର ଦୁଇଟି ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୬୧୭୫ ଲିଟର ଦେଶୀ ମଦ ଜବତ କରିଛି। ତେବେ ମଦ ବେପାରୀମାନେ ଖସି ପଳାଇଥିଲେ। ଜିଲା ଅବକାରୀ ଉପଅଧୀକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ବାଲୁଗଁା ଓ ଟାଙ୍ଗୀ ଅବକାରୀ ବିଭାଗ କର୍ମଚାରୀଙ୍କ ସମେତ ବାଣପୁର ପୋଲିସର ଏକ ଟିମ୍‌ ପଞ୍ଚାୟତର କୋଷରଡା ଏବଂ ପ୍ରଧାନ ସାହିରେ ଚଢ଼ାଉ କରିଥିଲେ। ଦୁଇଟି ସ୍ଥାନରୁ ୬ହଜାର ଲିଟର ଓ ୧୭୫ଲିଟର ରନ୍ଧାମଦ ଜବତ କରାଯାଇଥିଲା। ବାଣପୁର ଅତିରିକ୍ତ ତହସିଲଦାର ପ୍ରମୋଦ ପାଢୀ ଏହି ଚଢ଼ାଉରେ ସାମିଲ ଥିଲେ।