ସାଙ୍ଘାଇରେ ଲକ୍‌ଡାଉନ୍‌, ଦୂତାବାସ ସହିତ ଯୋଗାଯୋଗ କରିବାକୁ ଭାରତୀୟଙ୍କୁ ପରାମର୍ଶ…

ବେଜିଂ, ୧୩।୪ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ପୁଣି ଅଣାୟତ୍ତ ହେବାରେ ଲାଗିଛି। ଏଠାରେ ନୂତନ ସଂକ୍ରମଣ ମାମଲା ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଚାଇନାର ଆର୍ଥିକ ରାଜଧାନୀ ସାଙ୍ଘାଇରେ ସବୁଠାରୁ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି । ଏପ୍ରିଲ ୫ରୁ ଏଠାରେ କଡା ଲକ୍‌ଡାଉନ ଲାଗୁ କରାଯାଇଛି। ଆମେରିକା ପରେ ବର୍ତ୍ତମାନ ଚାଇନାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ବଡ ବିବୃତ୍ତି ଜାରି ହୋଇଛି।

ବେଜିଂରେ ଥିବା ଭାରତୀୟ ଦୂତାବାସ ଅନୁଯାୟୀ, ସାଙ୍ଘାଇରେ ଥିବା କନସୁଲେଟ ଜେନେରାଲ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇପାରୁ ନାହିଁ। ଏଭଳି ପରିସ୍ଥିତିରେ ରିମୋଟ ମୋଡରେ କନସୁଲେଟ ଜେନେରାଲ କାର୍ଯ୍ୟାଳୟକୁ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏହାପୂର୍ବରୁ, ଚାଇନାର ସାଙ୍ଘାଇରେ ଥିବା ଜରୁରୀକାଳୀନ ସରକାରୀ କର୍ମଚାରୀଙ୍କୁ ସହର ଛାଡିବାକୁ ଆମେରିକା ନିର୍ଦ୍ଦେଶ ଦେଇଥିଲା।

ନାଗରିକଙ୍କ ପାଇଁ ଭାରତୀୟ ଦୂତାବାସ ଦ୍ୱାରା ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ଅନ୍ତର୍ଗତ କୁହାଯାଇଛି ଯେ ପୂର୍ବ ଚାଇନାରେ ରହୁଥିବା ଭାରତୀୟ ନାଗରିକମାନେ ବେଜିଂରେ ଥିବା ଭାରତୀୟ ଦୂତାବାସରେ କନସୁଲାର ସେବା ପାଇଁ ଆବେଦନ କରିପାରିବେ।

ଏଥିସହ, ଯଦି ଜଣେ ବ୍ୟକ୍ତି ବ୍ୟକ୍ତିଗତ ଭାବରେ ବେଜିଂରେ ଡକ୍ୟୁମେଣ୍ଟ ଉପସ୍ଥାପନ କରିବାର ସ୍ଥିତିରେ ନାହାଁନ୍ତି, ତେବେ ସେ ଜଣେ ପ୍ରତିନିଧୀଙ୍କୁ ଅନୁମତି ଦେଇପାରିବେ। ଦୂତାବାସ ଏହାର ବିବୃତ୍ତିରେ କହିଛି ଯେ ଏହି ସମୟ ମଧ୍ୟରେ କନସୁଲେଟ ରିମୋଟ ମୋଡରେ କାର୍ଯ୍ୟକ୍ଷମ ରହିବ ଏବଂ କୌଣସି ଜରୁରୀକାଳୀନ ପରିସ୍ଥିତି ପାଇଁ ମୋବାଇଲ ନମ୍ବର ସହିତ ଯୋଗାଯୋଗ କରାଯାଇପାରିବ ବୋଲି ସୂଚନା ପ୍ରଦାନ କରାଯାଇଛି।

ଏହା ସହିତ ସାଙ୍ଘାଇର କେତେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସ୍ବାସ୍ଥ୍ୟ କର୍ମୀମାନେ ସାଧାରଣ ନାଗରିକଙ୍କୁ ଆକ୍ରମଣ କରୁଥିବା ଦେଖାଯାଉଛି।

Share