ବାହାରକୁ ଯାଉଥିଲେ ଘରେ ତାଲା ପକାନ୍ତୁ: ଡିସିପି

ଭୁବନେଶ୍ୱର,୨୧।୧୦ (ସୂର୍ଯ୍ୟକାନ୍ତ ବେହେରା): ସାବଧାନ ହୋଇଯାଆନ୍ତୁ। କାରଣ ଏବେ ରାଜଧାନୀର ଗଳିକନ୍ଦିରେ ମାତିଛନ୍ତି ଲୁଟେରା। ଆଉ ଏବେ ଦୁର୍ଗାପୂଜା ମାହୋଲରେ ଅପରାଧୀ ବେଶ୍‌ ସକ୍ରିୟ। ବିଗତ ୧ ମାସ ମଧ୍ୟରେ ରାଜଧାନୀରେ ଚୋରି, ଛିନ୍‌ତାଇ, ଲୁଟ ଭଳି ଘଟଣା ବଢିବାରେ ଲାଗିଛି। ଏ ନେଇ ରାଜଧାନୀବାସୀଙ୍କୁ ଡିସିପି ପ୍ରତୀକ ସିଂ ଭିଡିଓ ବାର୍ତ୍ତା ଜରିଆରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଘର ବାହାରକୁ ଯାଉଥିଲେ କିମ୍ବା ଗ୍ରାମ ଅଭିମୁଖେ ଘରେ ତାଲା ପକାଇ ଯିବାକୁ ପ୍ରତୀକ ସିଂ ପରାମର୍ଶ ଦେଇଛନ୍ତି। ସେହିପରି ଘରେ ସିସିଟିଭି ଲଗାଇବା ସହ ଘରେ ଭିତରେ ବି କୌଣସି ମୂଲ୍ୟବାନ ଜିନିଷ ଛାଡି ଯାଆନ୍ତୁ ନାହିଁ। ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖୁଛନ୍ତି ତେବେ ତୁରନ୍ତ ୧୧୨କୁ ଫୋନ କରି ଜଣାନ୍ତୁ। ମେଢ ଦେଖିବାକୁ ଯାଉଥିଲେ ଦୁଇ ଚକିଆ ଯାନକୁ ବ୍ୟବହାର କରନ୍ତୁ ଏବଂ ପାର୍କିଂ ସ୍ଥାନରେ ଡବଲ ତାଲା ବ୍ୟବହାର କରନ୍ତୁ। ଗାଡି ଡିକିରେ କୌଣସି ବି ମୂଲ୍ୟବାନ ଜିନିଷ ଛାଡି ଯାଆନ୍ତୁ ନାହିଁ ବୋଲି ସିଂ କହିଛନ୍ତି। ଅପରପକ୍ଷେ ରାଜଧାନୀରେ ଲୋକଙ୍କ ଘର ଉପରେ ନଜର ରଖିବ କମିଶନରେଟ ପୋଲିସ। ଏନେଇ ଭୁବନେଶ୍ୱର ୨ ନମ୍ବର ଜୋନ ଏସିପି ଗିରିଜା ଚକ୍ରବର୍ତ୍ତୀ ସୂଚନା ଦେବା ପରେ ଚର୍ଚ୍ଚା ସୃଷ୍ଟି ହୋଇଛି ।