୬ରୁ ୮ ସପ୍ତାହ ଲକ୍‌ଡାଉନ କର

ନୂଆଦିଲ୍ଲୀ,୧୩ା୫: କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ରୋକିବାକୁ ହେଲେ ଭାରତର ଅଧିକାଂଶ ଭାଗ ୬ରୁ ୮ ସପ୍ତାହ ପାଇଁ ଲକ୍‌ଡାଉନ୍‌ରେ ରହିବା ଉଚିତ। ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ମୁଖ୍ୟ ଡକ୍ଟର ବଳରାମ ଭାର୍ଗବ ବୁଧବାର କେନ୍ଦ୍ର ସରକାରଙ୍କୁ ଏହି ପରାମର୍ଶ ଦେଇଛନ୍ତି। ଦେଶର ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ଜାତୀୟ ଲକ୍‌ଡାଉନ୍‌କୁ ଏତେ ଗୁରୁତ୍ୱ ଦେବାରେ ଏହା ହେଉଛି ପ୍ରଥମ ଘଟଣା। ଭାର୍ଗବ ପ୍ରତ୍ୟକ୍ଷ ଭାବେ ମୋଦି ସରକାରଙ୍କୁ ବିଫଳତା ପାଇଁ ସମାଲୋଚନା କରି ନ ଥିଲେ ହେଁ ସାମ୍ପ୍ରତିକ ସଙ୍କଟର ମୁକାବିଲାରେ କେନ୍ଦ୍ରୀୟ ଅବହେଳାକୁ ସ୍ବୀକାର କରିଛନ୍ତି।
ସାକ୍ଷାତ୍‌କାରରେ ଡକ୍ଟର ଭାର୍ଗବ କହିଛନ୍ତି, ଯେଉଁ ଜିଲାଗୁଡ଼ିକରେ ପଜିଟିଭ୍‌ ହାର ଅଧିକ ରହିଛି ସେଗୁଡ଼ିକୁ ବନ୍ଦ କରାଯିବା ଆବଶ୍ୟକ। ସେହି ଜିଲାଗୁଡ଼ିକରେ ସଂକ୍ରମଣ ହାର ୧୦%ରୁ ୫%କୁ ଖସିଲେ ସେଗୁଡ଼ିକୁ ପୁଣି ଖୋଲାଯାଇପାରେ। ତେବେ ୬ରୁ ୮ ସପ୍ତାହ ମଧ୍ୟରେ ଏପରି ହେବା ଭଳି ମନେହେଉନାହିଁ। ବର୍ତ୍ତମାନ ଭାରତର ତିନି-ଚତୁର୍ଥାଂଶ ଅର୍ଥାତ୍‌ ୭୧୮ ଜିଲାରେ ପଜିଟିଭ୍‌ ରେଟ୍‌ ୧୦%ରୁ ଅଧିକ ରହୁଛି। ନୂଆଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ସହରର ଜିଲାଗୁଡ଼ିକ ଏଥିରେ ସାମିଲ ଅଛି। ଦିଲ୍ଲୀ ସମ୍ପର୍କରେ ଭାର୍ଗବ କହିଛନ୍ତି, ଜାତୀୟ ରାଜଧାନୀର କଟକଣାକୁ ତୁରନ୍ତ କୋହଳ କରିଦେଲେ ତାହା ବିପର୍ଯ୍ୟୟ ହେବ। ମହାମାରୀର ଦ୍ୱିତୀୟ ଲହର ଭାରତକୁ ବହୁଳ ଭାବେ ପ୍ରଭାବିତ କରିଥିବାବେଳେ ଦିଲ୍ଲୀ ଏଥିରେ ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଦିଲ୍ଲୀରେ ପଜିଟିଭ୍‌ ହାର ୩୫% ରହିଥିଲା, ଯାହାକି ଏବେ ୧୭%କୁ ଖସିଛି। କୋଭିଡ୍‌-୧୯କୁ ନେଇ ନ୍ୟାଶନାଲ୍‌ ଟାସ୍କଫୋର୍ସ କେନ୍ଦ୍ର ସରକାରଙ୍କୁ ଏପ୍ରିଲ ୧୫ରେ ୧୦% କିମ୍ବା ତଦୂର୍ଦ୍ଧ୍ୱ ସଂକ୍ରମଣ ହାର ରହୁଥିବା ଜିଲାଗୁଡ଼ିକରେ ଲକ୍‌ଡାଉନ୍‌ ଜାରି ପାଇଁ ପରାମର୍ଶ ଦେଇଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୦ର ରାଜ୍ୟଗୁଡ଼ିକୁ ଲକ୍‌ଡାଉନ୍‌କୁ ଶେଷ ବିକଳ୍ପ ଭାବେ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ। ଏପ୍ରିଲ ୨୬ରେ ସର୍ବାଧିକ ସଂକ୍ରମିତ ଜିଲାଗୁଡ଼ିକରେ ‘ଲାର୍ଜ କଣ୍ଟେଣ୍ଟମେଣ୍ଟ ଏରିଆ’ରେ ୧୪ ଦିନ ପାଇଁ କଟକଣା ଜାରି କରିବାକୁ କହିଥିଲା।

Share