ଛତା ମରାମତି କରିବାକୁ ଯାଇ ଫେରିଲେନି ଲୋଚନ

ନୂଆପଡ଼ା ଅଫିସ,୨୬।୭: ନୂଆପଡ଼ା ଜିଲା ସିନାପାଲି ଥାନା ଅନ୍ତର୍ଗତ ଚଲନା ଗାଁ ଶିବ ମନ୍ଦିର ନିକଟ ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗୋଡାଲ ପଞ୍ଚାୟତ ପଳସାପଡ଼ା ଗାଁର ଲୋଚନ ଜଗତ(୪୫)।

ମିଳିଥିବା ସୂଚନା ମୁତାବକ, ଲୋଚନ ଗାଁକୁ ଗାଁ ବୁଲି ଛତା ମରାମତି କରି ଜୀବିକା ନିର୍ବାହ କରୁଥିଲେ। ରବିବାର ଚଲନା ସପ୍ତାହିକ ବଜାର ଥିବାରୁ ଛତା ମରାମତି କରିବାକୁ ଆସିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କୌଣସି ଖବର ନ ପାଇବାରୁ ଲୋଚନଙ୍କ ନିଖୋଜ ନେଇ ସିନାପାଲି ଥାନାରେ ଏତଲା ଦେଇଥିଲେ।

ଅନ୍ୟପକ୍ଷେ ଚଲନା ଶିବ ମନ୍ଦିର ନିକଟରେ କେହି ଜଣେ ପୋଷାକ ସହ ଛତା ମରାମତି ସାମଗ୍ରୀ ଛାଡି ଦେଇଥିବା ପରିବାର ଲୋକଙ୍କୁ ଖବର ମିଳିଥିଲା। ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପୋଷାକ ଓ ବ୍ୟାଗ ଲୋଚନଙ୍କ ବୋଲି ଚିହ୍ନଟ କରିଥିଲେ। ଲୋଚନ ପାଣିରେ ବୁଡି ଯାଇଥିବା ସନ୍ଦେହ କରି ସିନାପାଲି ପୋଲିସକୁ ଖବର କରିଥିଲେ। ପୋଲିସ ଅଗ୍ନିଶମ ବିଭାଗ ସହ ପହଞ୍ଚତ୍ ପୋଖରୀରେ ଖୋଜାଖୋଜି ପରେ ଲୋଚନଙ୍କ ମୃତଦେହ ମିଳିଥିଲା। ପୋଲିସ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିିଥିବା ସିନାପାଲି ଥାନା ଆଇଆଇସି ଡମ୍ବରୁଧର ପ୍ରଧାନ କହିଛନ୍ତି।