ଛତ୍ରପୁର,୨୦।୭( ଦିଲ୍ଲୀପ ସାମଲ/ ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ଉପକଣ୍ଠରେ ଥିବା ଆଇ. ଆର୍. ଇ. ଏଲ. ଓ ଗୋପାଳପୁର ବନ୍ଦର ଭଳି ପ୍ରତିଷ୍ଠିତ ଶିଳ୍ପରେ ସ୍ଥାନୀୟ ଯୁବତୀଯୁବକଙ୍କୁ ସ୍ଥାୟୀ ନିଯକ୍ତି ଏବଂ ଆର୍ଯ୍ୟପଲ୍ଲୀ ବେଳାଭୂମିରେ ଚାରାରୋପଣ ନିମନ୍ତେ ଛତ୍ରପୁର ପୌରପରିଷଦ କଂଗ୍ରେସ କମିଟି ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ପୌରପରିଷଦର ସଭାପତି କାଳିଆ ରାଉଳଙ୍କ ନେତୃତ୍ୱରେ ଦଳ ପକ୍ଷରୁ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଦୀର୍ଘ ବର୍ଷ ଧରି ଆଇ. ଆର୍. ଇ. ଏଲ. ଶିଳ୍ପ କମ୍ପାନୀ ଏବଂ ଗୋପଲପୁର ବନ୍ଦର ଅନେକ ଦଶନ୍ଧି ଧରି କାର୍ଯ୍ୟ କରି ଆସୁଛନ୍ତି। ବିଗତ କିଛି ବର୍ଷ ହେଲା କମ୍ପାନୀ ସ୍ଥାନୀୟ ଯୁବତୀଯୁବକଙ୍କୁ ନିଯୁକ୍ତି ନ ଦେଇ ବାହାର ଜିଲା ଓ ରାଜ୍ୟର ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉଛି । ଯାହା ଫଳରେ ଦକ୍ଷତା ହାସଲ କରିଥିବା ସ୍ଥାନୀୟ ଯୁବତୀଯୁବକ ଏହି ସୁଯୋଗ ପାଇପାରୁନାହାଁନ୍ତି। ତେଣୁ ସ୍ଥାୟୀ ନିଯୁକ୍ତି ନିମନ୍ତେ ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ପ୍ରାଧାନ୍ୟ ଦେବା ପାଇଁ ଦଳ ଦାବି କରିଛି। ଏହା ବ୍ୟତୀତ କମ୍ପାନୀ ପକ୍ଷରୁ ଅନୁମୋଦିତ ସି.ଏସ.ଆର୍. ପାଣ୍ଠିରୁ ଅଞ୍ଚଳରେ ଉନ୍ନତମୂଳକ କାର୍ଯ୍ୟ ପ୍ରତି କୌଣସି ତତ୍ପରତା ଦେଖାଯାଉ ନାହିଁ । ଲୋକଙ୍କ ଉପକାର ନିମନ୍ତେ କ୍ୟାନ୍ସର ହସ୍ପିଟାଲ ଖୋଲିବାକୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଭାଲିଆ ଝାଉଁ ଆଦି ବହୁମୂଲ୍ୟ ଗଛ କଟାଯାଇ ବାଲି ଖନନ କରାଯିବା ପରେ ସେହି ଜାଗାରେ ପୁନର୍ବାର ସେତିକି ପରିମାଣରେ ଚାରାରୋପଣ କରାଯାଉନାହିଁ ବୋଲି ଦଳ ଅଭିଯୋଗ କରିଛି। ଯାହା ଦ୍ୱାରା ବାତ୍ୟା ସୁନାମି ଭଲି ଭୟଙ୍କର ପ୍ରଳୟଙ୍କାରୀ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ଆବଶ୍ୟକ ଅନୁସାରେ ନାହିଁ। ଦଳ ପକ୍ଷରୁ ଦାବି ହୋଇଛି ଯେ ପ୍ରଚୁର ପରିମାଣରେ ଚାରାରୋପଣ କରାଯାଇ ପ୍ରକୃତିକୁ ବଞ୍ଚାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ।ଉକ୍ତ ଦାବି ଗୁଡ଼ିକ ଆଗାମୀ ଦିନରେ ପୂରଣ ନକଲେ ଆନ୍ଦୋଳନ ଜାରି ରହିବା ସହିତ ଆହୁରି ତୀବ୍ର କରାଯିବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲା ଉପସଭାପତି ଅଶୋକ କୁମାର ପଟ୍ଟନାୟକ, ସରତ ବେହେରା,ଲିଙ୍ଗରାଜ ନାୟକ ଓ କାଳୁ ଚରଣ ତ୍ରିପାଠୀଙ୍କ ସମେତ ବହୁ କର୍ମୀମାନେ ଉପସ୍ଥିତ ଥିଲେ।