ନିଯୁକ୍ତି ଦାବିରେ ତାତିଲେ ସ୍ଥାନୀୟ ବାସିନ୍ଦା: ଧାରଣା ଯୋଗୁ ଅଟକି ରହିଛି ମାଇନିଂ ଗାଡ଼ି

ଛତ୍ରପୁର,୨୮।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ମାଟିଖାଲସ୍ଥିତ ଆଇଆରଇଏଲ(IREL) ଡିସାଲିନେସନ ପ୍ଲାଣ୍ଟରେ ସ୍ଥାନୀୟ ଯୁବକଙ୍କୁ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ ତୀବ୍ର ହୋଇଛି। ଗତ ୩ ଦିନ ଧରି ପ୍ରବଳ ଶୀତ ଓ କାକରକୁ ଖାତିର ନ କରି ଛଟେଇ ଯୁବକ, ସେମାନଙ୍କ ପରିବାରବର୍ଗ ଓ ସ୍ଥାନୀୟ ବାସିନ୍ଦା IREL ମାଇନିଂ ମୁଖ୍ୟ ରାସ୍ତାରେ ଧାରଣାରେ ବସିଛନ୍ତି। ଏହି ରାସ୍ତା ଅବରୋଧ ଯୋଗୁ କମ୍ପାନୀର ବହୁ ମାଇନିଂ ଗାଡ଼ି ବିଭିନ୍ନ ସ୍ଥାନରେ ଅଟକି ରହିଛି।

ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୮ରେ ପ୍ଲାଣ୍ଟର ଫାଉଣ୍ଡେସନ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ କଠିନ ପରିଶ୍ରମ କରି କାମ କରିଆସୁଥିଲେ। ମାତ୍ର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ନିଯୁକ୍ତିରୁ ବାଦ ଦେଇ ବାହାର ଅଞ୍ଚଳର ଲୋକଙ୍କୁ କାମରେ ନିୟୋଜିତ କରୁଛନ୍ତି।

ଫଳରେ ସ୍ଥାନୀୟ ଯୁବକମାନେ ରୋଜଗାର ହରାଇ ଗୁରୁତର ଆର୍ଥିକ ଓ ପାରିବାରିକ ସଙ୍କଟ ଦେଇ ଗତି କରୁଛନ୍ତି। ଏନେଇ ଜିଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ ବାଧ୍ୟ ହୋଇ ସେମାନେ ରାଜରାସ୍ତାକୁ ଓହ୍ଲାଇଥିବା ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ପୂର୍ବରୁ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ୧୨ଜଣ ଯୁବକ ଏଠାରେ କାର୍ଯ୍ୟ କରୁଥିଲେ। ଛଟେଇ ବିରୋଧରେ ପୂର୍ବରୁ ହୋଇଥିବା ଆନ୍ଦୋଳନ ପରେ ୭ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ହୋଇଥିଲା, କିନ୍ତୁ ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ନ ଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ବଡ଼ ଆର୍ଯ୍ୟପଲ୍ଲୀ ଓ ସାନ ଆର୍ଯ୍ୟପଲ୍ଲୀର ଛଟେଇ ହୋଇଥିବା ତିନି ଯୁବକ ଡି. ଭୀମା, ଏସ. ନାଇଡୁ ଏବଂ ଏନ. ନରସିଂହଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ଆନ୍ଦୋଳନକାରୀ ଅଡ଼ି ବସିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ଏବଂ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ IREL ଏବଂ ଜିଲା ପ୍ରଶାସନ ମଧ୍ୟରେ ହୋଇଥିବା ବୁଝାମଣା(ଏମ୍‌ଓୟୁ) ଅନୁଯାୟୀ ଏହି ଡିସାଲିନେସନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି। ସମୁଦ୍ରର ଲୁଣିଆ ଜଳକୁ ବିଶୋଧନ କରି ବ୍ୟବହାର ଯୋଗ୍ୟ କରୁଥିବା ଏହି ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ଅଣଦେଖା କରାଯିବା ଘଟଣା ଏବେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

Share