ଲିଜ୍‌, ଶ୍ରୀଜଗନ୍ନାଥ ଜମିର ସ୍ଥାୟୀ ସମାଧାନ ହେଉ

ପୁରୀ ଅଫିସ,୧୯।୧: ପୁରୀ ସହରରେ ଥିବା ପୌରାଞ୍ଚଳ ଲିଜ୍‌ ଜମି, ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି, ଇକୋ-ସେନ୍ସିଟିଭ୍‌ ଜମି ଭଳି ଅନେକ ମାମଲାର ସ୍ଥାୟୀ ସମାଧାନ ପାଇଁ ପୁରୀ ଜିଲା ଭାଜପା ଦାବି କରିଛି। ସୋମବାର ଏକ ଖବରଦାତା ସମ୍ମିଳନୀରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି ଯେ, ପୁରୀ ପୌରାଞ୍ଚଳ ଅଧୀନରେ ଥିବା ଜମିକୁ ୨୦ରୁ ୩୦ ବର୍ଷ ପର୍ଯ୍ୟନ୍ତ ଲିଜ୍‌ ଆକାରରେ ବିଭିନ୍ନ ଦୋକାନୀଙ୍କୁ ଦିଆଯାଇଛି। ଲିଜ୍‌ଧାରୀମାନେ ସ୍ଥାୟୀ ଭାବେ ରହିବା କିମ୍ବା ବ୍ୟବସାୟ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରୁଛନ୍ତି। ନିୟମାନୁଯାୟୀ, ଘର ନିର୍ମାଣ ଉଦ୍ଦେଶ୍ୟରେ କୌଣସି ଜମି ଲିଜ ଦିଆଗଲେ, ଏହାକୁ ସ୍ଥାୟୀ ଲିଜ୍‌ ବୋଲି ବିଚାରକୁ ନିଆଯାଇ ଥାଏ। ଲିଜ ସମୟ ସରିବା ପରେ ସମ୍ପୃକ୍ତ ବ୍ୟକ୍ତି ଲିଜ ମିଆଦ ବୃଦ୍ଧି ପାଇଁ ଆବେଦନ କରି ନବୀକରଣ କରିପାରିବେ। ରାଜ୍ୟ ସରକାର ପୁରୀ ପୌରାଞ୍ଚଳକୁ ଜମି ଲିଜ୍‌ ନ ଦେବା ପାଇଁ ନିର୍ଦ୍ଦେଶ ଦେବା ପରେ ଏହି ପ୍ରକ୍ରିୟା ବନ୍ଦ ହୋଇଥିଲା। ଏବେ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି। ଓଜିଏଲ୍‌ଏସ୍‌ ଆକ୍ଟ ଅନୁଯାୟୀ, ସମ୍ପତ୍ତିର ଲିଜ ଅବଧି ଶେଷ ହେବା ପରେ ତହସିଲଦାରଙ୍କ ପାଖରେ ସ୍ଥାୟୀ ପଟ୍ଟା ପାଇଁ ଆବେଦନ ଦେଇ ନୂଆପଟ୍ଟା ନେଇପାରିବେ। ମାତ୍ର ଏ ନେଇ ବାରମ୍ବାର ଆବେଦନ ସତ୍ତ୍ୱେ କାର୍ଯ୍ୟ ତ୍ୱରାନ୍ବିତ ହେଉନାହିଁ। ଖାସ୍‌ମାହାଲ୍‌ ଲିଜ୍‌ର ସ୍ଥିତି ମଧ୍ୟ ସମାନ। ପୁରୀରେ ୭୦ରୁ ୭୫ ଭାଗ ସମ୍ପତ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଛି। ଅନେକ ଅମୃତମଣୋହୀ ସମ୍ପତ୍ତିରେ ବିଭିନ୍ନ ମଠ ଏଣ୍ଡାଓମେଣ୍ଟ କମିଶନରଙ୍କଠାରୁ ଧାରା ୧୯ରେ ବିକ୍ରି ଅନୁମତି ପାଇଥିଲେ। ମାତ୍ର ଜମି କିଣିଥିବା ବ୍ୟକ୍ତିଙ୍କ ନାମରେ ଏପର୍ଯ୍ୟନ୍ତ ସ୍ଥାୟୀ ପଟ୍ଟା ହୋଇପାରିନାହିଁ। ଶ୍ରୀମନ୍ଦିର ପ୍ରଶାସନ ଶ୍ରୀଜଗନ୍ନାଥଙ୍କ ଜମିକୁ ପୂର୍ବରୁ ଡେସିମିଲ ପିଛା ଏକହଜାର ଟଙ୍କାରେ ବିକିଥିବାବେଳେ ଏବେ ୟୁନିଫର୍ମ ପଲିସି ଲାଗୁକରି ଖରିଦ ପାଇଁ ବର୍ତ୍ତମାନର ବଜାର ମୂଲ୍ୟ ମାଗୁଛନ୍ତି। ପୁରୀ ବାଲୁଖଣ୍ଡ ମୌଜାର ଅନେକ ଅଞ୍ଚଳକୁ ଇକୋ ସେନ୍ସିଟିଭ୍‌ ଅଞ୍ଚଳରେ ପରିଣତ କରି ସରକାର ମୁକ୍ତ କିଣାବିକାରେ ବାଧା ସୃଷ୍ଟି କରୁଛନ୍ତି ବୋଲି ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।