Categories: ଜାତୀୟ

ମୋକ୍ଷ ପାଇଁ ଜୀବନ୍ତ ସମାଧି

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଉନ୍ନାଓର ଦୁଇ ଜଣ ସନ୍ଥ ଜଣେ ବ୍ୟକ୍ତିଙ୍କୁ ମୋକ୍ଷ ଦେବା କହି ତାଙ୍କୁ ଜିଅନ୍ତା ଭୂସମାଧି ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ ଉକ୍ତ ଯୁବକଙ୍କୁ ଉଦ୍ଧାର କରିଛି। ନବରାତ୍ରି ପୂଜା ଆରମ୍ଭ ହେବା ପୂର୍ବରୁ ଜୀବନ୍ତ ସମାଧି ନେଲେ ନିର୍ବାଣ ମିଳିବ ବୋଲି ତାଜପୁର ଗ୍ରାମର ସନ୍ଥମାନେ କହିବା ପରେ ଶୁଭମ ଗୋସ୍ବାମୀ ସମାଧି ନେଇଥିଲେ। ଗ୍ରାମବାସୀ ଏ କଥା ଜାଣିପାରି ସ୍ଥାନୀୟ ପୋଲିସକୁ ଜଣାଇଥିଲେ। ତେବେ ୬ ଫୁଟ ଗଭୀର ଗାତରୁ ପୋଲିସ ଶୁଭମଙ୍କୁ ଉଦ୍ଧାର କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ବାଉଁଶ ତାଟି ଘୋଡ଼ା ଥିବା ଏକ ଗାତରୁ ଯୁବକଙ୍କୁ ବାହାର କରାଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ କରିନେଇଛି। ଆତ୍ମଘୋଷିତ ସନ୍ଥ ମିନ୍ନାଲାଲ ଏବଂ ଶିବକେଶ ଦୀକ୍ଷିତ ଶୁଭମଙ୍କୁ ମୋକ୍ଷ ଦେବାର ବାଟ ଦେଖାଇବା ପାଇଁ ତାଙ୍କଠାରୁ ଟଙ୍କା ଲୁଟ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ୫ ବର୍ଷ ଧରି ଶୁଭମ ଗାଁ ବାହାରେ ଏକ କୁଡ଼ିଆ ତିଆରି କରି ରହୁଥିଲେ। ଶୁଭମ ଈଶ୍ୱର ବିଶ୍ୱାସୀ ଥିବାବେଳେ ମୋକ୍ଷ ପ୍ରାପ୍ତି ଚାହୁଁଥିଲେ। କୌଶଳବଶତଃ ଦୁଇ ସନ୍ଥ ତାଙ୍କୁ ନିର୍ବାଣ ଦେବା ଲାଗି ଆଶା ଦେଖାଇ ତାଙ୍କ ଟଙ୍କା ହଡ଼ପ କରୁଥିବା ପୋଲିସ କହିଛି। ଡାକ୍ତରୀ ଯାଞ୍ଚ ପରେ ଶୁଭମଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

Share