ଭଙ୍ଗା କୁଡ଼ିଆରେ ବିତୁଛି ଦିନ

ଖପ୍ରାଖୋଲ, ୧୩ା୭(ଡି.ଏନ.ଏ.)   ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ଜଲିଆବାହାଲ ଗାଁର କୃଷ୍ଣ ଦାସ( ୭୫)। ଗାଁମୁଣ୍ଡରେ ଭଙ୍ଗା ଦଦରା ଘରେ ସ୍ତ୍ରୀ ଲକ୍ଷ୍ମୀ (୭୦) ଓ ଭିନ୍ନକ୍ଷମ ପୁଅ ରଘୁନାଥ (୪୫) ସହ ରୁହନ୍ତି। ଜମିବାଡି କିଛ଼ି ନ ଥିବାରୁ କୃଷ୍ଣ ଭିକ୍ଷାବୃତ୍ତି କରି ଜୀବିକା ନିର୍ବାହ କରନ୍ତି। ଘରେ ଭିନ୍ନକ୍ଷମ ପୁଅର ଦେଖାଶୁଣା କରନ୍ତି ଲକ୍ଷ୍ମୀ। ସରକାରୀ ସହାୟତା କହିଲେ କୃଷ୍ଣଙ୍କୁ ଅନ୍ନପୂର୍ଣ୍ଣା ଯୋଜନାର ଚାଉଳ ମାତ୍ର ୧୦କେଜି ମିଳୁଛି। ପରିଣତ ବୟସରେ ପହଞ୍ଚି ଥିଲେ ବି ଅଦ୍ୟାବଧି ବୃଦ୍ଧା ଦମ୍ପତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିନାହିଁ। ଅପରପକ୍ଷରେ ପୁଅକୁ ବି ମିଳିନି ଭିନ୍ନକ୍ଷମ ଭତ୍ତା। ଭଙ୍ଗା ଦଦରା ଘରେ ରହୁଥିଲେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି ଗରିବ ପରିବାରକୁ ମିଳିନି ଘର। ଭତ୍ତା ଓ ଘର ପାଇଁ ଅନେକ ଥର ପଞ୍ଚାୟତ ଓ ବ୍ଲକ ଅଫିସକୁ ଯାଇ ଜଣାଇଥିଲେ ବି ସୁଫଳ ମିଳି ନ ଥିବା କହିଛନ୍ତି ଲକ୍ଷ୍ମୀ। ଏ ନେଇ ଖପ୍ରାଖୋଲ ବିଡିଓ ତରଣୀ ସୁନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ କୃଷ୍ଣଙ୍କ ଦୁଃସ୍ଥିତି ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ତଦନ୍ତ ପରେ ଉକ୍ତ ପରିବାରକୁ ଭତ୍ତା ଓ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି।