ବନ୍ୟାରେ ଉଜୁଡ଼ିଲା ଜୀବିକା, ପାଣି ଭିତରୁ ସ୍ୱପ୍ନ ସାଉଁଟୁଛନ୍ତି ବ୍ୟବସାୟୀ: କିଏ ଖୋଜୁଛି ହଜିଯାଇଥିବା ସାମଗ୍ରୀ, କିଏ ମୁଠାଏ ଖାଦ୍ୟ ପାଇଁ ଡହଳବିକଳ

ପୁରୁଷୋତ୍ତମପୁର, ୩୦।୧୦ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଋଷିକୁଲ୍ୟା ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଗଞ୍ଜାମ ଜିଲାରୁ ପୁରୁଷୋତ୍ତମପୁରର ଜନଜୀବନକୁ ଛାରଖାର କରିଦେଇଛି। ଦୋକାନ ବଜାରରେ ବନ୍ୟାଜଳ ପଶିଯିବାରୁ ଖାଦ୍ୟସାମଗ୍ରୀଠାରୁ ଆରମ୍ଭ କରି ଅନେକ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଯାଇଛି। ଏବେ ପାଣି ଭିତରୁ ନିଜର ଉଜୁଡ଼ିଯାଇଥିବା ଜୀବିକାର ଅବଶେଷ ସାଉଁଟିବାରେ ଲାଗିଛନ୍ତି ବ୍ୟବସାୟୀ।

ଅନ୍ୟପକ୍ଷରେ, ଲଗାତାର ତିନିଦିନ ଧରି ବଜାର ବନ୍ଦ ରହିବା ଏବଂ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହେବାରୁ ଲୋକଙ୍କୁ ପନିପରିବାଟିଏ ମଧ୍ୟ ମିଳିନଥିଲା। ଶୁକ୍ରବାର କିଛି ଉଠାଦୋକାନୀ ଦୋକାନ ଖୋଲିବା ମାତ୍ରେ ସେଠାରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମିଥିଲା। ଭୋକ ମେଣ୍ଟାଇବା ପାଇଁ ଲୋକେ ଆବଶ୍ୟକ ସାମଗ୍ରୀ କିଣିବାକୁ ଧାଇଁଥିଲେ।

ବନ୍ୟା ପରବର୍ତ୍ତୀ ପୁରୁଷୋତ୍ତମପୁରର ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ। କିଏ ନିଜର ବୁଡ଼ିଯାଇଥିବା ବ୍ୟବସାୟକୁ ପୁଣି ଥରେ ଛିଡ଼ା କରିବାକୁ ସଂଘର୍ଷ କରୁଛନ୍ତି ତ ଆଉ କିଏ ମୁଠାଏ ଖାଦ୍ୟ ଯୋଗାଡ଼ କରି ପରିବାର ସହ ବଞ୍ଚିବାକୁ ଲଢ଼େଇ କରୁଛନ୍ତି। ବନ୍ୟାଜଳ କମିଛି, ହେଲେ ଲୋକଙ୍କ ଦୁର୍ଦ୍ଦଶା କମିନାହିଁ। ଏବେ ସହରବାସୀଙ୍କ ପାଇଁ ଜୀବନ ଓ ଜୀବିକାକୁ ପୁଣି ଥରେ ସ୍ୱାଭାବିକ ସ୍ଥିତିକୁ ଫେରାଇବା ଏକ ବଡ଼ ଆହ୍ୱାନ ପାଲଟିଛି।

Dharitri – Odisha’s No.1 Odia Daily

Share