Categories: ଜାତୀୟ

୨୩୦ ସ୍ପିଡ୍‌ରେ କାର୍‌ ଚଳାଇ ଲାଇଭ୍‌ ଭିଡିଓ

ଲକ୍ଷ୍ନୌ, ୧୮ା୧୦: ଘଣ୍ଟାପ୍ରତି ୨୩୦ କିଲୋମିଟର ବେଗରେ ବିଏମ୍‌ଡବ୍ଲ୍ୟୁ କାର୍‌ ଚଳାଉଥିଲେ ୪ ସାଙ୍ଗ। ଲକ୍ଷ୍ୟ ଥିଲା ଘଣ୍ଟାପ୍ରତି ସ୍ପିଡ୍‌ ବଢ଼ାଇ ୩୦୦ କିଲୋମିଟର ଛୁଇଁବା। ଦ୍ରୁତଗତିରେ କାର୍‌ ଚଳାଉଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ତାହାର ଫେସ୍‌ବୁକ୍‌ ଲାଇଭ୍‌ ଭିଡିଓ ମଧ୍ୟ କରିଥିଲେ। ସେହି ସମୟରେ ଆଉ ଜଣେ କହିଥିଲେ ୪ ଜଣ ମରିବା। ଚାଳକ କହିଥିଲେ ପାଟି ଚୁପ୍‌ କରି ବସ ଓ କାର୍‌ ଚଳାଇବାକୁ ଦିଅ। ହେଲେ ସତକୁ ସତ ମାତ୍ର କିଛି କ୍ଷଣରେ କାର୍‌ଟି ଏକ କଣ୍ଟେନର ଟ୍ରକ୍‌କୁ ଧକ୍କା ହୋଇଥିଲା। ଏଥିରେ ଥିବା ଜଣେ ଡାକ୍ତରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ଓ୍ବେରେ ଶୁକ୍ରବାର ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେମାନଙ୍କ ମଧ୍ୟରୁ ଜଣେ ଚାଳକଙ୍କୁ କହୁଛନ୍ତି, ବେଗ ୩୦୦ କି.ମି.କୁ ବଢ଼ାଅ। ଅତିକମ୍‌ରେ ୨୯୦ ଛୁଅଁ। ବ୍ରେକ୍‌ ଲଗାଅ ନାହିଁ। ନଚେତ ଆଉ ୩୦୦ କି.ମି. ବେଗରେ ଯାଇପାରିବା ନାହିଁ ବୋଲି ଜଣେ କହୁଥିବା ଉକ୍ତ ଭିଡିଓରୁ ଶୁଣିବାକୁ ମିଳିଛି। ମୃତକମାନେ ହେଲେ ବିହାରର ଡାକ୍ତର ଆନନ୍ଦ କୁମାର ଓ ତାଙ୍କ ୩ ବନ୍ଧୁ ଅଖିଳେଶ ସିଂ, ଦୀପକ କୁମାର ଏବଂ ଭୋଲା କୁଶ୍‌ଓ୍ବାହା। ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିଛି।

Share